ରାଜ୍ୟଗୋଷ୍ଠୀ କ୍ରୀଡା ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ: ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ଅଧୂରା ସ୍ୱପ୍ନ ଆଜି ପୂରା ହୋଇଛି। ୨୦୧୮ରେ ତାଙ୍କର ଯେଉଁ ସ୍ୱପ୍ନ ଅଧା ରହି ଯାଇଥିଲା ୨୦୨୨ରେ ତା’ହା ପୂରଣ ହୋଇଛି। କାରଣ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ସିନ୍ଧୁ। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅନ୍ୟତମ ଭାରତୀୟ ଷ୍ଟାର ସାଇନା ନେହୱାଲଙ୍କ ଠାରୁ ପରାସ୍ତ ହୋଇଥିଲେ। ସାଇନା ସ୍ୱର୍ଣ୍ଣ ଓ ସିନ୍ଧୁ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ନଥିବାରୁ ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲେ। ସେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ସିନ୍ଧୁଙ୍କ ବାମଗୋଡ଼ରେ ସମସ୍ୟା ସୃଷ୍ଟି ହୋଇଥିଲା। ତଥାପି ସେ ଏହାକୁ ଖାତିର ନ କରି ଲି‘ଙ୍କ ବିପକ୍ଷରେ ଲଢ଼େଇ କରିଥିଲେ।

ଲି’ ହେଉଛନ୍ତି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା। ତେଣୁ ଆଜି ସେ ସିନ୍ଧୁଙ୍କୁ କିଛି ମାତ୍ରାରେ ସମସ୍ୟାରେ ପକାଇଥିଲେ। କିନ୍ତୁ ସିନ୍ଧୁ ନିଜର କ୍ଲାସ ଦେଖାଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ଲିଡ ହାସଲ କରିଥିଲେ। ହେଲେ ଲି’ କମବ୍ୟାକ କରିଥିଲେ। କିନ୍ତୁ ସିନ୍ଧୁ ପ୍ରଥମ ସେଟକୁ ୨୧-୧୫ରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୩ରେ ଜିତିବା ସହ ଭାରତ ପାଇଁ ଆଉ ଗୋଟିଏ ସ୍ୱର୍ଣ୍ଣ ପକ୍କା କରିଥିଲେ।

Leave a Reply

Your email address will not be published. Required fields are marked *