ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ରାଷ୍ଟ୍ରୀୟ କିଷାନ୍ ମଜ୍ଦୁର ମହାସଂଘର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ଵର : ହକି ବିଶ୍ୱକପ୍ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭୁବନେଶ୍ଵର ରାଜରାସ୍ତାଠୁ ନେଇ କାନ୍ଥବାଡ଼ ଚକ୍‌ମକ୍ କରାଯାଉଛି, କିନ୍ତୁ ଅନ୍ୟପଟେ ଚାଷୀମାନଙ୍କର ମଣ୍ଡିର ଭିରିଭୂମି ଅଭାବରୁ ଖୋଲା ଆକାଶ ତଳେ ଧାନ ରଖୁଛନ୍ତି । ଏବେ ସୁଦ୍ଧା ୩୪୦୯ ମଣ୍ଡି ମଧ୍ୟରୁ ୨୩୮୯ ମଣ୍ଡିରେ ପିଣ୍ଡିଟିଏ ରାଜ୍ୟ ସରକାର କରିବାରେ ଅକ୍ଷମ । ଏବେ ଖରିଫ ଧାନ କିଣା ପାଇଁ ଟୋକନ୍ ବ୍ୟବସ୍ଥା ଦ୍ୱାରା ଚାଷୀମାନେ ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଯାଉଛନ୍ତି । ୬ ମାସର ପରିଶ୍ରମ କରି ଉଚିତ୍ ମୂଲ୍ୟରେ ଧାନ ବିକି ପରିବାର ଭରଣ ପୋଷଣ କରିବ ବୋଲି ସ୍ୱପ୍ନ ଦେଖୁଛି । କିନ୍ତୁ ମଣ୍ଡିର ଅବ୍ୟବସ୍ଥା କହିଲେ ନସରେ । ଯଦି ଲାଞ୍ଚ ନ ଦିଆଯାଉଛି, ତାହେଲେ ଧାନ ଉଠାଯାଉନାହିଁ । ତାହାର ଜ୍ଵଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଘାଗୁଲି ମଣ୍ଡିରେ ଦେଖିବାକୁ ମିଳିଛି । ଚାଷୀ ଖୁସିରାମ ମହାଖୁଡଙ୍କୁ ୧୯ ତାରିଖରେ ମୋବାଇଲ୍ ଯୋଗେ ମେସେଜ୍ ଆସିଥିଲା ଧାନ ମଣ୍ଡିକୁ ନେବାପାଇଁ ସେହିଦିନ ମଣ୍ଡି ସମ୍ପାଦକ ଶ୍ରୀ ମହେଶ ପ୍ରତାପ ପାଣିଗ୍ରାହୀଙ୍କୁ ପଚାରିଥିଲେ । କିନ୍ତୁ ସମ୍ପାଦକ ମହାଶୟ କହିଲେ, ଦୁଇଦିନ ପରେ ଧାନ ଆଣ । ପୁନର୍ବାର ପୁଣି ଦୁଇଦିନ ପରେ ପଚାରିବାରୁ ସମାନ ଉତ୍ତର ଦେଲେ । ତେଣୁ ତା ୨୪.୧୨.୨୦୨୨ରିଖ ଦିନ ବିନା ପଚାରି ଟ୍ରାକ୍ଟର ମାଧ୍ୟମରେ ଧାନ ମଣ୍ଡିକୁ ନେଇଥିଲେ । କିନ୍ତୁ ସେଠାରେ ସମ୍ପାଦକ କହିଲେ ୨ ହଜାର ଟଙ୍କା ଦେଲେ ଧାନ ରଖାଯିବ ନଚେତ୍ ଧାନ ଫେରାଇ ନିଅ । ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା କରି ଧାନ ନ ଉଠିବାରୁ ଫେରିବାକୁ ବାଧ୍ୟ ହେଲେ । ତା’ ପରଦିନ ତା ୨୫, ୧୨. ୨୦୨୨ରିଖ ପୁନର୍ବାର ଧାନ ମଣ୍ଡିକୁ ନେଇ ଟ୍ରାକ୍ଟରରୁ ନିଜେ ଧାନ ଅନ୍‌ଲୋଡ୍ କରୁଥିବା ସମୟରେ ସମ୍ପାଦକ ମହାଶୟ ଟଙ୍କା କାହିଁ କହି ଖୁସିରାମଙ୍କୁ ପଛପଟୁ ଧକ୍‌କା ମାରିଥିଲେ । ଖୁସିରାମ ଧାନ ସହ ସେଠାରେ ପଡ଼ିଯାଇଥିଲେ ଏବଂ ଟଙ୍କା ନାହିଁ କହିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାଡ ମାରିଥିଲେ । ସେଠାରେ ଉପସ୍ଥିତ ଥିବା ଚାଷୀଭାଇ ମାନେ ହସ୍ତକ୍ଷେପ କରିବାରୁ ଜୀବନ ବଞ୍ଚାଇ ଖୁସିରାମ ସେଠାରୁ ପଳାଇ ବେଲ୍ପଡା ଥାନରେ ଲିଖ ଅଭିଯୋଗ କରିଥିଲେ । ଏହିସବୁ ଘଟଣା ମଣ୍ଡିରେ ଲାଗିଥିବା ସି.ସି. ଟି.ଭି. କ୍ୟାମେରାରେ କଏଦ ହୋଇଛି, ଯାହାକୁ ପରବର୍ତ୍ତୀ ଯାଞ୍ଚ ସମୟରେ ଏ.ସି.ଏସ୍. ଓ ଏବଂ ବେଲ୍‌ପଡ଼ା ଉପ ତହସିଲ୍‌ଦାର ଦେଖୁଥିଲେ । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ସମ୍ପାଦକଙ୍କୁ ନା ଆରେଷ୍ଟ କରାଗଲା, ନା ଚାକିରୀରୁ ନିଲମ୍ବନ କରାଗଲା । ତେଣୁ ଏସବୁ ପଛର କାରଣ ବଲାଙ୍ଗୀର
ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଘଟୁଛି ବୋଲି ଆମେ ସନ୍ଦେହ କରୁଛୁ । କାରଣ ୨୦୧୯-୨୦ ବର୍ଷରେ ଦୁର୍ନୀତିଖୋର ୨୬ଜଣ ସମ୍ପାଦକ ଓ ଡି.ଇ.ଓ.କୁ. ନିଲମ୍ବିତ କରାଯାଇଥିଲା । କିନ୍ତୁ ପୁନର୍ବାର ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ କେଉଁଠି ନା କେଉଁଠି ପ୍ରଶ୍ନ ଉଠୁଛି, ଯଦି ଏମିତି ଦୁର୍ନୀତିଖୋର ଲୋକ ଚାଷୀର ଭାଗ୍ୟବିଧାତା ବନିବେ, ତେବେ ଚାଷୀର ସର୍ବନାଶ ହିଁ ହେବ ।

ଏହି କଥାକୁ ନେଇ ରାଷ୍ଟ୍ରୀୟ କିଷାନ୍ ମଜ୍ଦୁର ମହାସଂଘ ଅନବରତ କୃଷକମାନଙ୍କର ସମ୍ମାନ ପାଇଁ ସଂଗ୍ରାମ ଜାରି ରଖୁଛି । ଆଜି ଏହି କଥାକୁ ନେଇ କୃଷିମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ । ଯଦି ଉଭୟ ସରକାର ଓ ପ୍ରାଶସନ ମଣ୍ଡିରେ ଲାଞ୍ଚ, କଟନୀ ଛଟନି ଓ ଟୋକନ ସମସ୍ୟା, ମଣ୍ଡିର ଭିଭିଭୂମି ଉପରେ ଗୁରୁତ୍ୱ ଦେବା ସହ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀଙ୍କୁ ନିଲମ୍ବନ ଓ ଗିରଫ ନ କରାଯାଏ, ତେବେ ଆସନ୍ତା ଜାନୁଆରୀ ୯ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳ ଅଫିସ୍ ଘେରାଓ କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ଶ୍ରୀ ସଚିନ୍‌ ମହାପାତ୍ର, ପଶ୍ଚିମ ଓଡ଼ିଶା ସଭାପତି ସୌରୀ କୁମାର ସାହୁ, ଉତ୍ତର ଓଡ଼ିଶା ସଭାପତି ଶ୍ରୀ ଭବେନ୍ଦ୍ର ସାହୁ, ବିଭିନ୍ନ ଜିଲ୍ଲାର ସଭାପତି ଯଥା- ବରଗଡ଼ – ସନାତନ ପ୍ରଧାନ, ଗଞ୍ଜାମ-ଶ୍ରୀ ସ୍ଵସ୍ତି ସିଓ, କଟକ- ଅଭିଜିତ୍ ଦାସ, ଯାଜପୁର-ଗୌରାଙ୍ଗ ବଳ, ବଲାଙ୍ଗୀର- ସାମନ୍ତ ସାହୁ, ନୟାଗଡ଼ – ଅଶୋକ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *