ଗୁଜୁରାଟର ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ଅହମଦାବାଦ : ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ସକାଳେ ପାଗ ଅନୁକୂଳ ଥିବାରୁ ଅଡାଲଜ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଗାନ୍ଧୀ ନଗର, କାଲୋଲ ଓ କଡ଼ି ଇଲାକାରୁ ପରିବାର ସମେତ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନଙ୍କର ଭାରି ଭିଡ଼ ନଜରକୁ ଆସିଥିଲା। ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର(ଜେ.ସି. ଏ. ଆର୍.ସି) ତରଫରୁ ଏହାର ସଦସ୍ୟ ସଚିବ ଡଃ ବଦ୍ରି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସ୍ବେଚ୍ଛାସେବକ ମାନଙ୍କ ଦ୍ଵାରା ଦର୍ଶକ ମାନଙ୍କୁ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା । ମନ୍ଦିରରେ ବଢି ଭୋର ରୁ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ୯ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ୨୭ଫୁଟ ୨ ଇଞ୍ଚ ଉଚ୍ଚ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଦେବୀ ସୁଭଦ୍ରାଙ୍କର ରୋଷଣୀ ମହିଳା ମାନେ କରୁଥିବାର ଦୃଶ୍ୟ ବେଶ ମନୋରଞ୍ଜକ ଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେଉଥିବାର ଭବ୍ୟ ଅନୁଭୂତି ଖୁବ୍ ନିଆରା ଥିଲା।
ମୁଖ୍ୟ ଅତିଥି ରାଜ୍ୟ ଜନଜାତି ଉନ୍ନୟନ ମନ୍ତ୍ରୀ ଡଃ କୁବେର ଭାଇ ଦିନଦୋର, ସକାଳ ୯ଟା ୧୫ ମିନିଟରେ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶ୍ରୀ ଦିନଦୋରଙ୍କୁ ଏହି କାର୍ଯ୍ୟରେ ସମ୍ମାନିତ ଅତିଥି ବୃନ୍ଦ ଯଥା ସାଂସଦ ନରହରି ଅମିନ, ବିଧାୟକ ଅଳ୍ପେଶ ଠାକୁର ଓ ରୀତାବେନ୍ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଏହା ପରେ ସକାଳ ସାଢେ଼ ୯ଟା ବେଳେ ମନ୍ଦିର ସାମ୍ନାର ବଡ଼ ଦାଣ୍ଡରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୨୦ ହଜାର ଭକ୍ତଙ୍କର ସମାଗମରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନଗର ପରିକ୍ରମାରେ ନିଆଯାଇଥିଲା। ରଙ୍ଗାରଙ୍ଗ ରଥ ଟିକୁ ଆଡ଼ାଲଜ ଠାରୁ ୩ କିଲୋମିଟର ଦୂରବର୍ତ୍ତୀ ମା ଅନ୍ନପୂର୍ଣ୍ଣା ମନ୍ଦିରକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁର ମାନଙ୍କୁ ମନ୍ଦିରର ତଳତାଲାରେ ଥିବା କମ୍ୟୁନିଟି ହଲ୍ ପରିସରରେ ବନି ଥିବା ମାଉସୀମା ଘରକୁ ନିଆଯାଇ ସେଠାରେ ଥିବା ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦିଅଁ ମାନେ ଏହି ଠାରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୂତ୍ରରୁ ଜଣାଯାଇଛି। ଏଠାରେ ପ୍ରତ୍ୟେକ ଦିନ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଭଗବାନଙ୍କୁ ପୂଜା ଓ ଆରତୀ କରିବାର ସୁଯୋଗ ପାଇବେ। ରଥଯାତ୍ରା ଅବସରରେ ମା ଅନ୍ନପୂର୍ଣ୍ଣା ମନ୍ଦିର ଓ ଆଡ଼ାଲଜ ମନ୍ଦିରଠାରେ ଆଗନ୍ତୁକ ମାନଙ୍କୁ ମହାପ୍ରସାଦ ବିତରଣ କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାର ଆୟୋଜନରେ ବିଶ୍ଵ ବ୍ରାହ୍ମଣ ସଂଗଠନର ସଭାପତି ଶଶିକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମାଆ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚାଳନା କମିଟି ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ ସଫଳ ଭାବେ ସମ୍ପନ୍ନ କରିବାରେ ପରିଚାଳନା କମିଟିର ଟ୍ରଷ୍ଟି, ସଦସ୍ୟଗଣ ଓ ଓଡ଼ିଶା ସଂଘରକର୍ମକର୍ତ୍ତା ଯଥା ଜେ. ସି. ଏ. ଆର୍.ସି ର ସଦସ୍ୟ ସଚିବ ଓ ଓଡ଼ିଶା ସଂଘର ସାଧାରଣ ସମ୍ପାଦକ ଡଃ ବଦ୍ରି ମହାପାତ୍ର, ଓଡ଼ିଶା ସଂଘର ସଭାପତି ହରେକୃଷ୍ଣ ଦାଶ, ସଦସ୍ୟ ମହେଶ୍ୱର ସାହୁ, ଡକ୍ଟର ନିବେଦିତା ସାହୁ, ଲୀଳା ଦାଶ, ବାଞ୍ଛାନିଧି ପାଣି, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ବାଇଁ, ଅଜୟ ଦାସ, ମହେନ୍ଦ୍ର ଦାସ, ରାଜେଶ ସାମଲ, ଦିଲ୍ଲୀପ ଜେନା, ରୋହିତ ନାୟକ, ନିଗମାନନ୍ଦ ଦାସ,ଦିଲ୍ଲୀପ ବଳ, ସନ୍ଧ୍ୟା ପଣ୍ଡା ଓ ଗଣେଶ ସାବତ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *