ଚେନ୍ନାଇ ସୃଜନୀ ପରିବାର ପକ୍ଷରୁ “ସମ୍ବାଦ ସାହିତ୍ୟ ଘର ” ସାରସ୍ୱତ ମହୋତ୍ସଵ

ଭୁବନେଶ୍ବର : ଓଡିଶାରେ ଜନ୍ମିତ ଅନେକ ସଫଳ ମଣିଷ ଆଜି ପ୍ରବାସରେ ବାସ କରନ୍ତି I ବୃତ୍ତି ପାଇଁ ହେଉ କିମ୍ବା ବ୍ୟବସାୟ ପାଇଁ ଅନେକ ସଫଳ ଓଡ଼ିଆ ଭାଇ, ଭଉଣୀ ଓଡିଶା ଠାରୁ ଦୁରେଇ ଯାଇଛନ୍ତି I ଓଡିଶା ମାଟି ,ଭାଷା,ସଂସ୍କୃତି ପ୍ରତି ସେମାନଙ୍କର ଆବିଳତା ଥିଲେ ମଧ୍ୟ ଓଡ଼ିଶାର ସେବା କରିବାର ସୁଯୋଗ ସ୍ୱାଭାବିକ ଭାବରେ କମ ପାଇଥାନ୍ତି I କିନ୍ତୁ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରବାସୀଙ୍କୁ ଓଡିଶା ମାଟି ସହ ଯୋଡ଼ିବାରେ ବିରାଟ ସୁଯୋଗ ସୃଷ୍ଟି କରିଛି I ତେଣୁ କାରିଗରୀ କୌଶଳ ସହାୟତାରେ ପ୍ରବାସୀଙ୍କୁ ଯୋଡି ପାରିଲେ ଆମ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ I ଚେନ୍ନାଇ ସୃଜନୀ ପରିବାର ଆନୁକୂଲ୍ୟରେ ଆୟୋଜିତ “ସମ୍ବାଦ ସାହିତ୍ୟ ଘର ” ସାରସ୍ୱତ ମହୋତ୍ସଵର ଆଭାସୀ ଆଲୋଚନାଚକ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠାତା ” ସମ୍ବାଦ ସାହିତ୍ୟ ଘର ” ଓ ଓଡ଼ିଆ ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି I ସୃଜନୀ ପରିବାର ସମ୍ପାଦକ ଅଶୋକ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟ ଘର’ ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ ,ସାହିତ୍ୟକମାନେ ଲେଖାଲେଖିର ବଳୟ ଭିତରୁ ବାହାରି ସାମାଜିକ ପ୍ରତିବଦ୍ଧତାକୁ ମଧ୍ୟ ପାଳନ କରନ୍ତୁ I ସାହିତ୍ୟ ଚର୍ଚ୍ଚା ଓ ଆଲୋଚନା ସହ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ‘ସମ୍ବାଦ ସାହିତ୍ୟ ଘର’ ଭଳି ନିଷ୍ଠାର ସହ ପାଳନ କରନ୍ତୁ ବୋଲି ମତ ଦେଇଥିଲେ I ଓଡିଶା ମହିଳା କମିଶନର ପ୍ରାକ୍ତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି କହିଲେ ଓଡିଶା ପାଇଁ ସ୍ୱପ୍ନ ଦେଖି ସାକାର କରିବାରେ ଶ୍ରୀମାନ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ I ତାଙ୍କ ମାନସରୁ ଜନ୍ମିତ ‘ସମ୍ବାଦ ସାହିତ୍ୟ ଘର’ ଓଡିଶା ତଥା ଓଡିଶା ବାହାରେ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି I ସୃଜନୀ ପରିବାରର ଜାତୀୟ ସ୍ତରୀୟ “ସମ୍ବାଦ ସାହିତ୍ୟ ଘର ” ସାରସ୍ୱତ ମହୋତ୍ସଵରେ ଓଡିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ କବି , ନାରୀକବି ,ସାହିତ୍ୟ ସାଧକ ତଥା ଅନେକ ବାଗ୍ମୀ ଯୋଗ ଦେଇଥିଲେ I ଉକ୍ତ ମହୋତ୍ସଵରେ ବରେଣ୍ୟ ଅତିଥି ରୂପେ ଶ୍ରୀମତୀ ସ୍ମିତା ଦାସ,ସଭାପତି ,ସମ୍ବାଦ ସାହିତ୍ୟ ଘର ,ବାଲିକୁଦା ଜଗତସିଂହପୁର, ସମ୍ବାଦ ସାହିତ୍ୟ ଘର ,ବଲାଙ୍ଗୀରିର ପ୍ରାକ୍ତନ ସଭାପତି ଡ଼. ସଞ୍ଜୟ କୁମାର ମିଶ୍ର,ସମ୍ବାଦ ସାହିତ୍ୟ ଘର ,ଅନୁଗୁଳର ସଭାପତି ଡ଼. ଶାନ୍ତନୁ କୁମାର ସର ,ସମ୍ବାଦ ସାହିତ୍ୟ ଘର ,ରାଉରକେଲାର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ,ସମ୍ବାଦ ସାହିତ୍ୟ ଘର ,ବଡ଼ବିଲର ସାଧାରଣ ସମ୍ପାଦକ ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ ଓ ଚନ୍ଦାହାଣ୍ଡି, ସମ୍ବାଦ ସାହିତ୍ୟ ଘରର ସାଧାରଣ ସମ୍ପାଦକ ,ଶ୍ରୀ ସନ୍ତୋଷ କୁମାର ଖମାରି ଆଦି ଯୋଗଦେଇ ଓଡ଼ିଶାର ଅସ୍ମିତା ଓ ପ୍ରତିଭା ବିକାଶରେ ‘ସମ୍ବାଦ ସାହିତ୍ୟ ଘର ‘ର ଯୋଗଦାନ ବିଷୟରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ ସାହିତ୍ୟ ଘର ‘ ଭଞ୍ଜନଗରର ସାଧାରଣ ସମ୍ପାଦକ ,ସନ୍ତୋଷ କୁମାର ଜେନା ,କେନ୍ଦ୍ରାପଡାର ସାଧାରଣ ସମ୍ପାଦକ ଆଦିକନ୍ଦ ରାଉଳ ,ବାରିପଦାର ସଭାପତି ଇଂ .ମନୋଜ କୁମାର ଦଳବେହେରା,ଭଦ୍ରକର ପ୍ରାକ୍ତନ ସଭାପତି ଅଧ୍ୟାପକ ପବିତ୍ର କୁମାର ପାଣିଗ୍ରାହୀ ସହ ଓଡ଼ିଶାର ବିଭିନ୍ନ “ସମ୍ବାଦ ସାହିତ୍ୟ ଘର” ର ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I ସୃଜନୀ ପରିବାରର ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ସାହିତ୍ୟ ସାଧିକା ଡ଼.ବାସନ୍ତୀ ମହାନ୍ତି ଏବଂ ପ୍ରଫେସର୍ ଗୋଦାବରୀଶ ମିଶ୍ର,ଦର୍ଶନ ଶାସ୍ତ୍ର ବିଶାରଦ ତଥା ଶିକ୍ଷାବିତ୍ ନିଜସ୍ୱ ଅଭିଭାଷଣ ସଭାରେ ରଖିବା ସହ ସୃଜନୀ ପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୃଜନୀ ପରିବାରର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ସାହିତ୍ୟିକା ପାରମିତା ଷଢଙ୍ଗୀ,ବାଗ୍ମୀ ପ୍ରଫେସର୍ ରଘୁନାଥ ବେହେରା ,ଆମେରିକା ରେ ବାସ କରୁଥିବା ଗାଳ୍ପିକା ଚନ୍ଦ୍ରା ମିଶ୍ର ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ନିଜ ବକ୍ତ୍ୟବ ମାଧ୍ୟମରେ ‘ସମ୍ବାଦ ସାହିତ୍ୟ ଘର ‘ ପ୍ରବାସୀମାନଙ୍କୁ ନେଇ ଅଧିକ ସାରସ୍ୱତ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ କରିଥିଲେ I ଉପସ୍ଥାପିକା ତଥା ସଂଯୋଜିକା କବୀ ଶ୍ରୀମତୀ ସୁମତି ମୁଣ୍ଡ ଓ ଶିକ୍ଷାବିତ୍ ଓ ସାହିତ୍ୟିକ ରମେଶ ଚନ୍ଦ୍ର ପସାଏତ୍ ଉଭୟଙ୍କ ସଂଯୋଜନା ତଥା ସଂଚାଳନା ରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା । ଏହି ଅବସରରେ ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ , ଶ୍ରୀମତୀ ମହାଶ୍ୱେତା ପଟ୍ଟନାୟକ, ଶିଶୁ କଣ୍ଠଶିଳ୍ପୀ କୁମାରୀ ଦିବ୍ୟାଂଶା ମୁଣ୍ଡ ସଭାରେ ସଙ୍ଗୀତ ପରିବେଷଣ କରିଥିବା ସହ ସୃଜନୀପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଗୁଣୀଜନଙ୍କ ସମାବେଶ ହୋଇଥିଲା । ସଭାର ଅନ୍ୟତମ ସଂଚାଳିକା ଗୀତିକବି ଶ୍ରୀମତୀ ଝରଣା ପାଢ଼ୀ ଧନ୍ୟବାଦାର୍ପଣ ଓ ଶାନ୍ତିପାଠରେ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *