ବାଲେଶ୍ବରରୁ ନକଲି ଡାକ୍ତର ପ୍ରଭାସ ରାଜକୁ ଗିରଫ କଲା ସହିଦନଗର ପୋଲିସ | ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଗିରଫ ପରେ ପ୍ରଭାସ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିବା ସୂଚନା

ବାଲେଶ୍ବରରୁ ନକଲି ଡାକ୍ତର ପ୍ରଭାସ ରାଜକୁ ଗିରଫ କଲା ସହିଦନଗର ପୋଲିସ | ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଗିରଫ ପରେ ପ୍ରଭାସ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିବା ସୂଚନା | ଯୁବତୀଙ୍କୁ ପ୍ରେମ ଜାଲ ରେ ଫସାଇବା ପରେ ଗିଫ୍ଟ ଦେବା ବାହାନାରେ ସପିଙ୍ଗ ମଲ କୁ ଡାକୁଥିଲା | ଯୁବତୀ ଡ୍ରେସ ଟ୍ରାଏଲ କରିବାପାଇଁ ଯିବା ବେଳେ ମୋବାଇଲ ପର୍ସ ନେଇ ମାରୁଥିଲା ଚମ୍ପଟ |

ସ୍କୁଲ ଡେଇଁନି, କିନ୍ତୁ ଫେସ୍‌ବୁକ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଡେଟିଂ ଓ ମାଟ୍ରିମୋନି ସାଇଟ୍‌ ପ୍ରୋଫାଇଲ୍‌‌‌ରେ ଏମ୍‌କେସିଜିରେ ପଢ଼ୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା। ସୁଟ୍‌, ବୁଟ୍‌ ପିନ୍ଧା ଏମିତିଆ ଫଟୋ ଛାଡ଼ୁଥିଲା ଯେ ସେଥିରେ କାହାର ବି ସନ୍ଦେହ ହେଉନଥିଲା। ଖାଲି ସେତିକି ନୁହେଁ, ନିଜକୁ ସମ୍ଭ୍ରାନ୍ତ ପରିବାରର ଦର୍ଶାଇ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ଚାଟିଂ କରୁଥିଲା। ଯିଏ ତା’ ପାଲରେ ପଡ଼ିଲା, ଦେଖାସାକ୍ଷାତ, ବୁଲିବା ବାହାନାରେ ତାକୁ ଚୂନ ମାରୁଥିଲା। ଯୁବତୀଙ୍କୁ ସପିଂ କରାଇବା ନାଁରେ ମଲ୍‌ ବୁଲାଇ ନେଉଥିଲା। ଯୁବତୀ ଡ୍ରେସ୍ ଟ୍ରାଏଲ ପାଇଁ ଗଲା ବେଳେ ତାଙ୍କ ପର୍ସ, ମୋବାଇଲ୍‌ ଧରି ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଉଥିଲା। ସେମିତି ବଡ଼ ବଡ଼ ହୋଟେଲ, ରେସ୍ତୋରାଁକୁ ଯୁବତୀଙ୍କୁ ଖୁଆଇବା ବାହାନାରେ ନେଉଥିଲା। ଯୁବତୀ ୱାସ୍‌ରୁମ୍‌ରୁ ଫେରିବା ବେଳକୁ ତାଙ୍କ ମୋବାଇଲ୍‌, ପର୍ସ, ସୁନା, ଟଙ୍କା ନେଇ ପଳାଉଥିଲା। ଏମିତି ଅନେକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ବଡ଼ମ୍ବା ଅଞ୍ଚଳର ପ୍ରଭାସ ଦାସ(୨୮)। ପୁଲିସ ତା’ଠାରୁ ୪ଟି ଦାମୀ ମୋବାଇଲ୍‌ ଜବତ କରିଛି। ସେ ଏମିତି କରି କେତେ ଯୁବତୀଙ୍କୁ ଓ କେତେ ଟଙ୍କା ଚୋରି କରିଛି, ପୁଲିସ ତାକୁ ପଚରାଉଚରା କରୁଛି।

ସୂଚନା ମୁତାବକ, କିଛି ଦିନ ତଳେ ଫେସ୍‌ବୁକ୍‌ରେ ସହିଦନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଭାସର ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବର୍ତ୍ତାରୁ ସମ୍ପର୍କ ଘନିଷ୍ଠ ହୋଇଥିଲା। ଏହାର ସୁଯୋଗ ନେଇ ସେ ଯୁବତୀଙ୍କୁ ଏସ୍‌ପ୍ଲାନେଡ୍‌ ମଲ୍‌କୁ ଡାକିଥିଲା। ସେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଡ୍ରେସ୍‌ ଗିଫ୍ଟ କରିବାକୁ କହି ମଲ୍‌ ଭିତରକୁ ନେଇଥିଲା। ଯୁବତୀଙ୍କ ଏକ ଡ୍ରେସ୍‌ ପସନ୍ଦ ହେବାରୁ ସେ ତାଙ୍କ ମୋବାଇଲ୍‌ ଓ ପର୍ସ ପ୍ରଭାସକୁ ଦେଇ ଟ୍ରାଏଲ୍‌ ରୁମ୍‌କୁ ଯାଇଥିଲେ। ଟ୍ରାଏଲ୍‌ ରୁମ୍‌ରୁ ଫେରିବା ପରେ ଆଉ ପ୍ରଭାସକୁ ପାଇନଥିଲେ। ଯେତେ ଖୋଜାଖୋଜି କଲେ ବି ତା’ ପତ୍ତା ମିଳି ନଥିଲା। ନା ପାଖରେ ମୋବାଇଲ୍‌ ଥିଲା, ନା ପର୍ସ; କ’ଣ କରିବେ? ମଲ୍‌ର ଜଣେ କର୍ମଚାରୀଙ୍କ ମୋବାଇଲ୍‌ରୁ ପ୍ରଭାସକୁ ଫୋନ୍‌ କରିଥିଲେ। ହେଲେ ମୋବାଇଲ୍‌ ବନ୍ଦ ଥିଲା। ପରେ ଏ ସଂପର୍କରେ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ପ୍ରଭାସ ବାଲେଶ୍ବରରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ମଧ୍ୟ ଜଣେ ଯୁବତୀଙ୍କୁ ନିଜ ପାଲରେ ପକାଇବାକୁ ଯୋଜନା କରିଥିଲା। ହେଲେ ଏହା ପୂର୍ବରୁ ସହିଦନଗର ଥାନା ପୁଲିସର ଏକ ଟିମ୍‌ ତାକୁ କାବୁ କରିଥିଲା।

୩ଥର ଜେଲ୍‌ ଯାଇଛି
ପ୍ରଭାସ ନାମରେ ରାଜ୍ୟର ବିଭିନ୍ନ ଥାନା‌ରେ ଏଭଳି ଠକେଇ ମାମଲା ରହିଛି। ପୂର୍ବରୁ କଟକରେ ଠକେଇ କରିଥିବା ବେଳେ ବାଦାମବାଡ଼ି ଥାନା ଏବଂ ଜଗତପୁର ଥାନା ତାକୁ ଗିରଫ କରିଥିଲା। ସେମିତି ଜଗତସିଂହପୁରରେ ମଧ୍ୟ ଠକେଇ କରି ଗିରଫ ହୋଇଥିଲା। ତିନି ତିନିଥର ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି।

ଷଷ୍ଠରୁ ନଷ୍ଟ
ପାଠପଢ଼ା ମାତ୍ର ଷଷ୍ଠ। ହେଲେ ଫେସ୍‌ବୁକ୍‌, ଡେଟିଙ୍ଗ ସାଇଟ୍‌, ଓଡ଼ିଆ ମାଟ୍ରିମୋନି, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଭଳି ସୋସିଆଲ୍‌ ମିଡିଆ‌ରେ ନିଜକୁ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ରେ ଜଣେ ଡାକ୍ତରୀ ଛାତ୍ର ବୋଲି ଦର୍ଶାଇଥିଲା। ମେସେଞ୍ଜର୍‌ରେ ଯୁବତୀମାନଙ୍କୁ ମେସେଜ୍‌ କରି ଚତୁରତାର ସହ ନିଜ ଜାଲରେ ଫସାଉଥିଲା। ଯୁବତୀଙ୍କ ନମ୍ବର ପାଇବା ପରେ ଦେଖାସାକ୍ଷାତ ପାଇଁ ବଡ଼ବଡ଼ ହୋଟେଲ୍‌, ସପିଂ ପାଇଁ ମଲ୍‌କୁ ଡକାଉଥିଲା। ଯିଏ ତା’ କଥାରେ ଫସୁଥିଲେ, ସେମାନଙ୍କୁ ସେ ଅତି ସହଜରେ ଠକୁଥିଲା। ଜଣେ କି ଦୁଇଜଣ ନୁହେଁ, ପାଖାପାଖି ଶହେରୁ ଊର୍ଧ୍ବ ଯୁବତୀଙ୍କୁ ସେ ଏଭଳି ଚୂନ ଲଗାଇଥିବା ଜଣାପଡ଼ିଛି।

ନିର୍ଦ୍ଦିଷ୍ଟ ଠିକଣା ନାହିଁ
ପ୍ରଭାସର ନିଜର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ। ସେ କେଉଁଠି ରହେ? ତା’ର ଘର କେଉଁଠି? ନା ଯୁବତୀମାନେ ଜାଣିପାରିଥିଲେ ନା ପୁଲିସ ଜାଣି ପାରିଛି। କାରଣ ତା’ଠାରୁ ଜବତ ବହୁ ନକଲି ପରିଚୟପତ୍ରରେ ଭିନ୍ନ ଭିନ୍ନ ଠିକଣା ରହିଛି। ହ୍ବାଟ୍ସଆପ୍‌, ମେସେଞ୍ଜରେ ଯୁବତୀଙ୍କୁ ଭିନ୍ନଭିନ୍ନ ଠିକଣା ଦେଇଛି। ତା’ ଠିକଣାକୁ ନେଇ ପୁଲିସ ଏବେ ବି ଦ୍ବନ୍ଦରେ ରହିଛି।

ମୋବାଇଲ୍‌ ବିକା ଟଙ୍କାରେ କରୁଥିଲା ଅୟସ୍‌
ଯବୁତୀମାନଙ୍କୁ ଠକି ଯେଉଁ ମୋବାଇଲ୍‌ ନେଉଥିଲା, ତାହାକୁ ବଜାରରେ ଶସ୍ତାରେ ବିକ୍ରି କରୁଥିଲା। ସେମିତି ପର୍ସରୁ ବି କିଛି ଟଙ୍କା ମିଳି ଯାଉଥିଲା। ମାସକୁ ୮ରୁ ୧୦ ଯୁବତୀଙ୍କୁ ଠକିବା ପରେ ମୋଟା ଅଙ୍କର ଅର୍ଥ ମିଳି ଯାଉଥିଲା। ସେହି ଟଙ୍କାରେ ଦାମୀ ମୋବାଇଲ, ପୋଷାକପତ୍ର, ଘଣ୍ଟା କିଣୁଥିଲା।

Leave a Reply

Your email address will not be published. Required fields are marked *