ରାଜ୍ୟରେ ନିର୍ମାଣ ହେଉଛି ୬ ଟି ନୂଆ ପ୍ଲାନେଟରୀୟମ, ସବୁ ଜିଲ୍ଲାରେ ଖୋଲିବ ସାଇନ୍ସ ପାର୍କ ; ବଦଳିବ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟରୀୟମ ଚିତ୍ର

ଭୁବନେଶ୍ବର: ବଦଳିବ ଭୁବନେଶ୍ୱର ପ୍ଲାନେଟରୀୟମ ଚିତ୍ର । ୮କେ ଥ୍ରୀଡି ଶୋ ସାଙ୍ଗକୁ ଜ୍ୟୋତିର୍ବିଜ୍ଞାନର ନୂଆ ଜ୍ଞାନକୌଶଳ ଦେଖିବାକୁ ମିଳିବ ପଠାଣି ସାମନ୍ତ ପ୍ଲାନେଟରୀୟମରେ। ୨୦ କୋଟି ଟଙ୍କା ବ୍ୟୟବରାଦରେ ପଠାଣି ସାମନ୍ତ ପ୍ଲାନେଟରୀୟମର ନବକଳେବର କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଆରମ୍ଭ ହେବ କାମ। ଏହା ସାଙ୍ଗକୁ ରାଜ୍ୟରେ ଆଉ ୬ଟି ପ୍ଲାନେଟରୀୟମ ସହ ସାଇନ୍ସ ପାର୍କ ପିଲାଙ୍କ ପାଇଁ ନିର୍ମାଣ ହେବ।

ଦେଖିବାକୁ ମିଳିବ ଜ୍ୟୋତିର୍ବିଜ୍ଞାନର ନୂଆ ନୂଆ ଜ୍ଞାନକୌଶଳ। ଏହା ପୁଣି ନୂଆ ଟେକ୍ନୋଲୋଜି ଜରିଆରେ। ପଠାଣି ସାମନ୍ତ ପ୍ଲାନେଟରୀୟମରେ ଆଉ ପୁରୁଣା ଢ଼ାଞ୍ଚାରେ ନୁହେଁ ନୂଆ ଢ଼ାଞ୍ଚାରେ ଦେଖିବାକୁ ମିଳିବ ଶୋ। କାରଣ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରୀୟମର ବଦଳିବ ରୂପରେଖ। ରାଜ୍ୟର ଛତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଅଧିକରୁ ଅଧିକ ବିଭିନ୍ନ ପ୍ରସଙ୍ଗ ବା ମନୋରଞ୍ଜନ ମାଧ୍ୟମରେ ଜଣାଇବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟରେ ଦୁଇଟି ପ୍ଲାନେଟରୀୟମ ନିର୍ମାଣ କରାଯାଇଥିଲା। ଏବେ ଆଉ ୬ଟି ପ୍ଲାନେଟରୀୟମ ନିର୍ମାଣ କାମ ଚାଲିଛି।

ଇତିମଧ୍ୟରେ ଭୁବନେଶ୍ୱର ପ୍ଲାନେଟରୀୟମକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ଅପଗ୍ରେଡ୍ କରିବାକୁ ଯୋଜନା କରାଯାଇଛି। ଏଥି ପାଇଁ ପ୍ରତଗମ ପର୍ଯ୍ୟାୟରେ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଖୁବ୍ ଶୀଘ୍ର ରାୟଗଡା ସ୍ଥିତ ପ୍ଲାନେଟରୀୟମ ଉଦଘାଟିତ ହେବାକୁ ଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

୮କେ ଥ୍ରୀଡି ଶୋ ସାଙ୍ଗକୁ ଜ୍ୟୋତିର୍ବିଜ୍ଞାନର ନୂଆ ଜ୍ଞାନକୌଶଳ ଦେଖିବାକୁ ମିଳିବ ପଠାଣି ସାମନ୍ତ ପ୍ଲାନେଟରୀୟମରେ

“ଗଣିତ, ବିଜ୍ଞାନର ଅଗ୍ରଗତି ପାଇଁ ରାଜ୍ୟ ସରକାର ଅନେକ ପ୍ରୟାସ କରୁଛନ୍ତି। ଇତିମଧ୍ୟରେ ୬ଟି ନୂଆ ପ୍ଲାନେଟରୀୟମ କାମ ଚାଲିଛି। ଯେଉଁ ଜିଲ୍ଲା ବା ଅଞ୍ଚଳରୁ ପିଲାମାନେ ଭୁବନେଶ୍ୱର ପ୍ଲାନେଟରୀୟମ ଦେଖିବାକୁ ଆସିପାରୁନଥିଲେ ସେମାନଙ୍କ ପାଇଁ ସହଜ ହେବ। ଏହା ସହ ସାଇନ୍ସ ପାର୍କ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛିସ’’ କହିଛନ୍ତି ଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରୀୟମ। ଅଟୋମେକାନିକାଲ ମାଧ୍ୟମରେ ଚାଲିଥିଲା ଶୋ। ୨୦୧୨ ମସିହାରେ ଏହାର ଡିଜିଟାଲାଇଜେସନ ହେଲା। ୪କେ ଟୁ ଡ଼ିରେ ଚାଲିଛି ବର୍ତ୍ତମାନ ସମସ୍ତ ଶୋ। ହେଲେ ନବୀକରଣ ହେଲେ ୮କେ ଥ୍ରୀ ଡ଼ିରେ ଚାଲିବ ଶୋ। ଏହା ସାଙ୍ଗକୁ ସ୍ପେସ୍ ସିମୁଲେଟର, ଥ୍ରୀ ଡ଼ି ଥିଏଟର, ଆର୍ଥ ଗ୍ୟାଲେରୀ ରହିବ। ଇଣ୍ଟରଆକ୍ଟିଭ ମଡେଲ ସହ ପ୍ରଦର୍ଶନୀ ଦେଖିବାକୁ ମିଳିବ। କେହି ଜଣେ ଯଦି ପ୍ଲାନେଟରୀୟମ ଆସେ ତେବେ ଦିନ ତମାମ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଅନେକ କିଛି ଦେଖିବାକୁ ପାଇବ।

“୧୨ ବର୍ଷ ପରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି ପ୍ଲାନେଟରୀୟମ। ଜଣେ ଯଦି ପ୍ଲାନେଟରୀୟମ ଆସିବ ତେବେ ଗୋଟିଏ ଦିନ ବି କମ ପଡ଼ିବ ବୁଲିବା ପାଇଁ ଏଭକି ବ୍ୟବସ୍ଥା କରାଯାଉଛି। ସ୍ପେସ୍ ଜଗତକୁ ଅତି ନିକଟରୁ ଦେଖିବା ଅନୁଭବ କରିବା ଭଳି ଅନୁଭୂତି ଆଣିଦେବ ନୂଆ ପ୍ଲାନେଟରୀୟମ,” କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟରୀୟମର ଡେପୁଟି ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ।

ପିଲାଙ୍କ ଜାଣିବା ପାଇଁ ସମସ୍ତ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ବିଜ୍ଞାନ ସମ୍ବଧିୟ ତଥ୍ୟ ମିଳିବ ତାହା ପୁଣି ମନୋରଞ୍ଜନ ମାଧ୍ୟମରେ।

Leave a Reply

Your email address will not be published. Required fields are marked *