ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳି କଲେ ରାଜ୍ୟ ସରକାର ; ଏଡିଜି ଆର. ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇ ଦେଇଛନ୍ତି । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି । ଏହା ସହିତ ଏଡିଜିପି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ। ଗୁଇନ୍ଦା ନିର୍ଦ୍ଦେଶକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଲଳିତ ଦାସଙ୍କୁ ହଠାତ୍ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିବା କଥାକୁ ସହଜରେ ଗ୍ରହଣ କରି ହେଉ ନାହିଁ। କାରଣ ଓଏସ୍‌ଡି ଭାବେ କୌଣସି ସ୍ଥାନକୁ ପଠାଯିବା ଅର୍ଥ, ତାଙ୍କୁ ଗୁରୁତ୍ୱହୀନ କରିଦିଆଯିବା ବୋଲି ସାଧାରଣତଃ ବିବେଚନା କରାଯାଏ। ତେଣୁ ଏହା ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବାର ସୂଚନା ଆସୁଥିବାରୁ ଆର୍‌. ପି କୋଚେଙ୍କ ହାତରେ ଗୁଇନ୍ଦା ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଭାବେ ରହିବ ନା ଆଉ କାହାକୁ ଏହି ଦାୟିତ୍ୱ ଦିଆଯିବ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *