ଏକାଠି ହେଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୮୮ ମସିହା ବ୍ୟାଚର ଛାତ୍ରୀ ; ପୁରୁଣା ଦିନର ସ୍ମୃତିରେ ହଜିଲେ ସେଦିନର କିଶୋରୀ
ଭୁବନେଶ୍ୱର : କାନ୍ଧରେ ହାତ ପକାଇ ଜମୁଥିଲା ଗପର ଆସର | ଖିଲି ଖିଲି ହସରେ ଥଟ୍ଟା ମଜା ସାଙ୍ଗକୁ କୋଳେଇ ନେଉଥିଲେ ପରସ୍ପରକୁ | ସତେ ଯେମିତି ହଜି ଯାଇଛନ୍ତି କେଉଁ ପୁରୁଣା ସ୍ମୃତିର ସାଗରରେ | ଅବସର ଥିଲା ପୁରୁଣା ସ୍କୁଲ ସାଙ୍ଗମାନଙ୍କ ବନ୍ଧୁମିଳନ | ଭୁବନେଶ୍ୱର ୟୁନିଟ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୮୮ ମସିହା ବ୍ୟାଚର ଛାତ୍ରୀମାନେ ଆଜି ଏକାଠି ହୋଇଥିଲେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ଥିବା ଏକ ହୋଟେଲରେ | ସ୍କୁଲ ବେଳର ସ୍ମୃତି ସବୁକୁ ମନେ ପକେଇ ଭାବବିହ୍ୱଳ ହୋଇଯାଉଥିଲେ | କିଏ ନିଜ ପିଲାଙ୍କୁ ଧରି ଆସିଥିଲେ ତ ଆଉ କିଏ ଏକା | ସ୍ୱାମୀ ସଂସାର ପିଲାଛୁଆ ଜଞ୍ଜାଳକୁ ଭୁଲି କିଛି ସମୟ ପାଇଁ ପାଲଟି ଯାଇଥିଲେ ସେଇ ପୁରୁଣା ଦିନର କିଶୋରୀଙ୍କ ପରି | ଭୁବନେଶ୍ୱର ତଥା ବାହାରୁ ଆସିଥିବା ଛାତ୍ରୀ ମାନେ ପୁରୁଣା ସାଙ୍ଗମାନଙ୍କୁ ଦେଖି ଭାବୁକ ହୋଇଯାଉଥିଲେ | ପରିପାଟୀ ଓ ମୁହଁରେ ପରିପକ୍ୱ ଗୃହିଣୀର ଛିଟା ଥିଲେ ବି ଆଜି ପାଲଟିଯାଇଥିଲେ ସେଇ ପୁରୁଣା ଦିନର ସାଙ୍ଗ ସବୁ ଭଳି | ପରସ୍ପରକୁ ଡାକିବାରେ ଡାକ ନାଁ ସବୁ ପାଟିରୁ ବାହାରୁଥିଲା | ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଆସିଥିବା ସେଦିନର ଶିକ୍ଷୟତ୍ରୀ ମିନାକ୍ଷୀ ମିଶ୍ର ଏବଂ ସାବିତ୍ରୀ ସାହୁଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ବେଳେ ଆଖିରେ ଆସିଯାଉଥିବା ଲୁହକୁ କାନିରେ ପୋଛୁଥିଲେ ଛାତ୍ରୀମାନେ | ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କଲାବେଳେ ବୟସର ପରିଣତ ବୟସରେ ପାଦ ଦେଇଥିବା ଶିକ୍ଷୟତ୍ରୀ ଦ୍ଵୟଙ୍କ ଆଖିରେ ଆସିଯାଇଥିଲା ସ୍ନେହ ଓ ଆଶୀର୍ବାଦର ଲୁହ ବୁନ୍ଦା |
ଅନିଭା ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଣତି ସେନାପତି, ତପସ୍ୱିନୀ ପଣ୍ଡା, ସୁଭାଷିନୀ ପରିଡା, ପ୍ରମୋଦିନି ବେହେରା, ସାଗରିକା, ଉର୍ମିଳା ବେହେରାଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିଲେ | ପୁଣି ଆରବର୍ଷକୁ ଦେଖାହେବାର ପ୍ରତିଶୃତି ଦେଇ କାନ୍ଦ କାନ୍ଦ ମୁହଁରେ କୋହଭରା କଥାରେ ବିଦାୟ ନେଇଥିଲେ ଛାତ୍ରୀମାନେ |