ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା : ବୟଫ୍ରେଣ୍ଡଙ୍କ ମିଳୁନି ପତ୍ତା

କେନ୍ଦୁଝର: ନୂଆ ମୋଡ଼ ନେଉଛି ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା। ମୃତ୍ୟୁର ୧୦ ଦିନ ପୂର୍ବରୁ ନିଜ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଶୁଭଶ୍ରୀ ଦୁଷ୍କର୍ମ ଏତଲା ଦେଇଥିବା ବେଳେ ଏବେ ତାଙ୍କ ପତ୍ତା ମିଳୁନି। ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କ ନିଖୋଜ ବୟଫ୍ରେଣ୍ଡଙ୍କୁ ଖୋଜିବାକୁ ଅଣ୍ଟା ଭିଡିଛି ପୁଲିସ୍‌। ଏଥିନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି।

ଶୁଭଶ୍ରୀ ମୃତ୍ୟୁ ମାମଲା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହି ମାମଲାରେ ମାପିଚୁପି ପାଦ ବଢ଼ାଉଛି ପୁଲିସ୍‌। ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରେମରେ ଖାଇଥିବା ଧୋକା ହେତୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଛି। ତେଣୁ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କୁ ଖୋଜିବାକୁ କେନ୍ଦୁଝର ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ଏଏସ୍‌ପି ସୂଚନା ଦେଇଛନ୍ତି।

ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦୁଷ୍କର୍ମ ମାମଲା ଅଭିଯୋଗ କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର । ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା।

ଏହାପରେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ଦିବ୍ୟରଞ୍ଜନ ବିବାହ ନିମନ୍ତେ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି। ତେବେ ଏବେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଥିବାରୁ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନକୁ ଯାଉଛି ସ୍ୱତନ୍ତ୍ର ଟିମ୍‌ । ଏହି ଟିମ୍‌ ନୁଆଗାଁ ଡିସ୍ପେନସାରୀକୁ ଯାଇଥିବା ବେଳେ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ପଚରାପଚରି କରି ଫେରିଥିବା ଜଣାଯାଇଛି।

ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରେ ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *