ବଦଳିବ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖଶାଳା, ହେବ ନବକଳେବର : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନାମରେ ହୋଇଛି ନୂଆ ଡିଜାଇନ୍

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ମୁଖଶାଳାର ହେବ ନବକଳେବର। ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡ଼ରେ ପ୍ରବେଶ ଫାଟକ ନିର୍ମାଣ କରାଯିବ। ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଓ ରାସ୍ତାର ଦୁଇ ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ କରାଯିବ। ବାଣୀବିହାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନାମରେ ହୋଇଥିବା ନୂଆ ଡିଜାଇନ୍ ବେଶ ଆକର୍ଷଣୀୟ ହୋଇଛି।

ଏହି ପ୍ରକଳ୍ପର କାମ ପୋଲିସ ହାଉସିଂ ହାତକୁ ନେଇଥିବା ବେଳେ ଡିଜାଇନ୍ କରିଛନ୍ତି ଓଡ଼ିଆ ଆର୍କିଟେକ ରୂଚିପୂର୍ଣ୍ଣ ଜେନା। ବଦଳିବ ବାଣୀବିହାର ୟୁନିଭରସିଟିର ଭୂଗୋଳ। ନୂଆ ତୋରଣରେ ଝଲସିବ ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକ। ପ୍ରଶସ୍ଥ ରାସ୍ତା ସାଙ୍ଗକୁ ଗେଟ୍ ସମ୍ମୁଖରେ ଶୋଭାପାଇବ ଓ୍ବାଟର ଫାଉଣ୍ଟେନ୍

ବାଣୀବିହାର ଓଭରବ୍ରିଜ୍ ଠାରୁ ମୋଟ ୮ଶହ ମିଟର ନୂଆ ରାସ୍ତା ନିର୍ମାଣ କରାଯିବ। ଏଥିରେ ମୁଖ୍ୟ ଫାଟକ ସମେତ ସୁରକ୍ଷକର୍ମୀ ରୁମ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଏଁ ପକ୍କା ରାସ୍ତା, ରାସ୍ତାର ଦୁଇ କଡରେ ୬ ଫୁଟ ଲେଖାଏଁ ପାଦଚଲା ରାସ୍ତା ନିର୍ମାଣ କରାଯିବ।

ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ଗଙ୍ଗୁଆ ନାଳ ଉପରେ ଋକ ବ୍ରିଜ୍ ନିର୍ମାଣ ହେବ। ରାସ୍ତାର ଉଭୟ ପାର୍ଶ୍ବରେ ପ୍ଳାଣ୍ଟେସନ୍ କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ। ପ୍ରବେଶ ପଥର ଭିତରପଟ ସମ୍ମୁଖରେ ସବୁ ବିଭାଗର କାର୍ଯ୍ୟାଳୟ ରହିବ ଯାହାର ଡିଜାଇନ୍ ସରିଛି। ଏବେ ଥିବା ମୁଖ୍ୟ ଫାଟକ ପ୍ରସ୍ଥାନ ପଥରେ ପରିଣତ କରାଯିବ। ଏଥିପାଇଁ ବାଣୀବିହାର ଛକରେ ଥିବା ଦୋକାନ ଗୁଡ଼ିକୁ ଉଛେଦ କରିବା ପାଇଁ ବିଡିଏ ଓ ବିଏମ୍ସିକୁ ଚିଠି ଲେଖିଛନ୍ତି କୁଳପତି।

“ଅନେକ ଦିନ ହେବ ଏହି ପ୍ରକଳ୍ପ ଯୋଜନାରେ ଥିଲା। ଏବେ ଟେଣ୍ଡର ହୋଇଛି ଖୁବ ଶୀଘ୍ର କାମ ହେବ। ଆଖପାଖ ଦୋକାନ ଉଛେଦ କରିବାକୁ ବିଏମ୍ସି, ବିଡିଏକୁ ଚିଠି ମଧ୍ୟ କରାଯାଇଛି,”କହିଛନ୍ତି ବାଣୀବିହାର ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ।

ବାଣୀବିହାର ବିଶ୍ବବିଦ୍ୟାଳୟ କୁ ଆକର୍ଷଣୀୟ କରିବା ସହ କ୍ୟାମ୍ପସରେ ଏକ ଶୃଙ୍ଖଳିତ ଶୈକ୍ଷିକ ବାତ୍ତାବରଣ ସୃଷ୍ଟି କରିବା ପାଇଁ ବାଣୀବିହାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଖୁବଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସଂପୂର୍ଣ୍ଣ ରାସ୍ତାରେ ସୋଲାର ସିଷ୍ଟମ ଲଗାଯିବ। ଏହି ପ୍ରକଳ୍ପର କାର୍ଯ୍ୟ ରାଜ୍ୟ ସରକାରଙ୍କ ପୋଲିସ ହାଉସିଂ କରିବ। ଏହି ନୂଆ ଫାଟକ କ ସୌନ୍ଦର୍ଯ୍ୟକରଣ ହେଲେ ବିଶ୍ବବିଦ୍ୟାଳୟର ଗାରିମା ବୃଦ୍ଧି ପାଇବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *