ଅସହାୟ ବୟସ୍କଙ୍କ ସାହାରା ପାଲଟିଛନ୍ତି ଯୁବ ସମାଜସେବୀ ରାଜେଶ

ବର୍ତ୍ତମାନର ସମାଜରେ ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ଏକ ସୁନ୍ଦର ଓ ରୁଚିକର ଜୀବନ ପ୍ରଦାନ ପାଇଁ ସେ ନେଇଛନ୍ତି ପଣ।ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଶ୍ରମ ପ୍ରତିଷ୍ଠା କରି ଆଜି ସମାଜର ଅଣଦେଖା ଓ ମାନସିକ ବିକାର ଭଳି ନାନାବିଧ ବ୍ୟାଧିରେ ପୀଡିତ ବୃଦ୍ଧବୃଦ୍ଧା ମାନଙ୍କୁ ସେ ଦେଇଛନ୍ତି ଏକ ନୂତନ ଜୀବନ।ସେ ହେଉଛନ୍ତି ଯୁବ ସମାଜସେବୀ ତଥା ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ଶ୍ରୀ ରାଜେଶ ମହାପାତ୍ର।ପୁରୀ ଜିଲ୍ଲାର ନିମାପଡାରେ ଜନ୍ମିତ ରାଜେଶଙ୍କ ପିତା କୃଷ୍ଣ ଭକ୍ତ ଥିଲେ।ତେଣୁ ପିଲାଟିଦିନରୁ ପିତାଙ୍କ ଠାରୁ ପାଇଥିଲେ ନୈତିକ ଓ ସାମାଜିକ ଶିକ୍ଷା।କେବେ କାହାକୁ କଷ୍ଟ ନ ଦେବା ଭଳି କଥା ଓ କାର୍ଯ୍ୟରୁ ସର୍ବଦା ନିବୃତ ରହୁଥିଲେ ଶ୍ରୀ ମହାପାତ୍ର।
ପିଲାଟିଦିନରୁ ଓଡିଶୀ ଓ ତବଲା ବାଦରେ ରୁଚି ରଖୁଥିବା ରାଜେଶ ସହ ଚାଲିଆସନ୍ତି ଭାଇଚାରା ସହର କଟକକୁ।ସେ ସମୟରେ ବୃକ୍ଷରୋପଣ ଓ ବିଭିନ୍ନ ସାମାଜିକ ସଚେତନତାରେ ନିଜକୁ ମଜେଇ ରଖୁଥିଲେ ଏହି ଯୁବ ସମାଜସେବୀ ଜଣକ।ପରବର୍ତ୍ତୀ ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ରାଜେଶ।ଯଦିଓ ଏହା ପରେ ବ୍ୟବସାୟୀ ହେବାର ସ୍ବପ୍ନ ଦେଖିଥିଲେ ମାତ୍ର ବିଧିର ବିଧାନ ତାଙ୍କ କପାଳରେ ସମାଜସେବୀ ହେବାର ଲେଖାଯାଇଥିଲା।ନିଜର ଏହି ନିଃସ୍ୱାର୍ଥପର ସେବା ପାଇଁ କର୍ମବୀର ସମ୍ମାନ,ଦରଦୀବନ୍ଧୁ ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଏହି ଯୁବ ସମାଜସେବୀ।

ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଶ୍ରମ ବିଷୟରେ ପଦେ-
 
ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ରାଜେଶ ମହାପାତ୍ରଙ୍କ ମତରେ “ଆଜିର ବ୍ୟସ୍ତବହୁଳ ଜୀବନରେ ପିଲମାନେ ବିଦେଶକୁ ଚାକିରୀ କରିଯିବା ଆଳରେ ନିଜ ପିତାମାତାଙ୍କୁ ଘରର ଚାରିକାନ୍ଥ ଭିତରେ ଜଣେ ସୁରକ୍ଷାକର୍ମୀଙ୍କ କବଳରେ ବନ୍ଦୀ କରି ଚାଲିଯାଉଛନ୍ତି। ଫଳରେ ଅସହାୟ ପିତାମାତା ହତ୍ୟା,ଲୁଟ୍ ଓ ତଣ୍ଟିକାଟର ଶିକାର ହେଉଛନ୍ତି।ତେଣୁ ଏହି ନିର୍ଯ୍ୟାତିତ ତଥା ପୀଡିତ ବୃଦ୍ଧବୃଦ୍ଧା ମାନଙ୍କୁ ଏକ ରୁଚିକର,ସୁରକ୍ଷିତ,ଶୃଙ୍ଖଳିତ ଓ ସୁଖମୟ ଜୀବନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ଆଶ୍ରମଟି ଗଢା ବୋଲି କହିଛନ୍ତି ପ୍ରତିଷ୍ଠାତା ରାଜେଶ ମହାପାତ୍ର।”

୨୦୧୨ ମସିହାରେ ମାତ୍ର ୭ ଜଣଙ୍କୁ ନେଇ ଗଢା ହୋଇଥିବା ଶ୍ରୀକ୍ରିଷ୍ଣା ଆନନ୍ଦ ବୃଦ୍ଧାଶ୍ରମ ବର୍ତ୍ତମାନ ତାର ପରିପକ୍ଵ ଅବସ୍ଥାରେ ଆସି ପହଂଚିଛି।ବର୍ତ୍ତମାନ ଭୁବନେଶ୍ବରରେ ଏହାର ୩ଟି ଶାଖା ରହିଥିବା ବେଳେ ୭୦ ଜଣ ବୃଦ୍ଧବୃଦ୍ଧା ଏହି ଆଶ୍ରମରେ ରହୁଛନ୍ତି।
ଏକ ସୁନ୍ଦର ଓ ଶୃଙ୍ଖଳିତ ବାତାବରଣରେ ପ୍ରତିଷ୍ଠା ଏହି ଆଶ୍ରମରେ ସେମାନଙ୍କୁ ମିଳୁଛି ପରିବାରର ଖୁସି।ଦୈନିକ ଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ସହ ଭଜନ,ଆୟୁର୍ବେଦ ଉପଚାର,ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଏବଂ ଟ୍ରଷ୍ଟ ଆଦି ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରମଟି ଖାଦ୍ୟ ସେବା,ସାମାଜିକ ସେବା ଆଦି ମଧ୍ୟ ଯୋଗାଉଛି।ଏହି ଆଶ୍ରମକୁ ଅତୀତରେ ନୀତା ଅମ୍ବାନୀ ମଧ୍ୟ ନିଜର ସାହାଯ୍ୟର ହାତ ବଢାଇଛନ୍ତି।

ଭବିଷ୍ୟତରେ ୧୦୦ରୁ ଉର୍ଦ୍ଧ୍ବ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ରଖି ସେମାନଙ୍କ ଶେଷ ଜୀବନକୁ ସରସ, ଶୃଙ୍ଖଳିତ,ରୁଚିକର ଏବଂ ସେମାନଙ୍କୁ ଘରୋଇ ସୁଖ ଦେବାର ଲକ୍ଷ୍ୟ ରଖିଛନ୍ତି ରାଜେଶ ମହାପାତ୍ର।

Leave a Reply

Your email address will not be published. Required fields are marked *