ଭରତପୁର ଥାନା ଭରତପୁର ତାରିଣୀ ବସ୍ତିରେ ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା । ମୃତ ଯୁବତୀ ହେଲେ ବ୍ରହ୍ମଗିରି ଅଞ୍ଚଳର ସୁରେଖା ପଲେଇ(୨୩) ।

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ଭରତପୁର ଥାନା ଭରତପୁର ତାରିଣୀ ବସ୍ତିରେ ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତ ଯୁବତୀ ହେଲେ ବ୍ରହ୍ମଗିରି ଅଞ୍ଚଳର ସୁରେଖା ପଲେଇ(୨୩) । ସେ ରାଜଧାନୀର ଏକ ଘରୋଇ ଅନୁଷ୍ଠାନରେ ମାର୍କେଟିଂ ବିଭାଗରେ କାମ କରୁଥିବା ବେଳେ ତାରିଣୀ ବସ୍ତିରେ ଭଡାରେ ରହୁଥିଲେ ।

ଖବରପାଇ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରର ଭିତରୁ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଯୁବତୀ ତଳେ ପଡିଥିବା ବେଡ଼ ଉପରେ ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ପଡିଥିଲା । ତେଣୁ ଯୁବତୀଙ୍କୁ ହତ୍ୟା କରିବା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରୁଛି ପୋଲିସ । ତେଣୁ ଫରେନସିକ ଟିମ ସହାୟତା ରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

“ଗତକାଲି ରାତିରେ ଦିଦି ଫୋନ କରି କହିଥିଲା ସାମ୍ନା ଘରେ ଭୋଜି ହୋଉଛି, ସେ ଭୋଜିରେ ସାମିଲ ଅଛି । ଆଉ ସକାଳୁ ଆସିଲେ ମିସିକି ଡ୍ରେସ କିଣିବାକୁ ଯିବା । ତେଣୁ ମୁଁ ଦିନ ୧୨ଟା ସମୟରେ ଦିଦି ରହୁଥିବା ଭଡା ଘରେ ପହଞ୍ଚିଥିଲି । ପରେ ଘରର କବାଟ ଖୋଲି ଦେଖିଲେ ବେଳକୁ ଦିଦି ବେଡ଼ ରେ ସୋଇଛି । ଦିଦି ପାଖକୁ ଯିବାରୁ ଜାଣିଲି, ଦିଦିର ମୃତ୍ୟୁ ହୋଇଛି । ତାର ବେକରେ ଦାଗ ରହିବା ସହ ଶରୀରର ଏକାଧିକ ସ୍ଥାନରେ ରାମ୍ପୁଡା ଚିହ୍ନ ରହିଛି । ତେଣୁ ଦିଦିକୁ ସାମ୍ନା ଘରେ ରହୁଥିବା ଯୁବକମାନେ ହତ୍ୟା କରିଛନ୍ତି,” କହିଛନ୍ତି ମୃତ ସୁରେଖାଙ୍କ ଭଉଣୀ ।

ସୁରେଖା ରହୁଥିବା ସମ୍ମୁଖ ଘର, ଯେଉଁଠି ରାତିରେ ଭୋଜି ହେଉଥିଲା ସେଇ ଘରେ ଦୁଇ ତିନି ଜଣ ଯୁବକ ଭଡ଼ାରେ ରୁହନ୍ତି । ପୋଲିସ ଘରର ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରୁ ଏକାଧିକ ମଦ ବୋତଲ ସହ ବହୁ ସନ୍ଦେହ ଜନକ ସାମଗ୍ରୀ ଜବତ କରିଥିଲା । ଫରେନସିକ ଟିମ ମଦ ବୋତଲର ଫିଙ୍ଗର ପ୍ରିଣ୍ଟକୁ ଯାଞ୍ଚ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି ।

ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, ସମ୍ମୁଖ ଘର ଜଣେ ଯୁବକଙ୍କୁ ମୃତ ସୁରେଖା ଭଲ ପାଉଥିଲେ । ତେଣୁ ଏହି ଘଟଣାରେ ପୁରୁଷ ବନ୍ଧୁଙ୍କ ହାତ ଥିବା ସନ୍ଦେହ କରୁଛି ଭରତପୁର ଥାନା ପୋଲିସ । ତେଣୁ ସୁରେଖାଙ୍କ ମୋବାଇଲ ଫୋନକୁ ଜବତ କରି ସମ୍ପୃକ୍ତ ଯୁବକଙ୍କ ପରିଚୟ ଖୋଜିବା ଆରମ୍ଭ ହୋଇଛି । ସେହିପରି ଆଖପାଖରେ ରହୁଥିବା ଲୋକ ଓ ମୃତକଙ୍କ ଭଉଣୀଙ୍କର ପୋଲିସ ବୟାନ ରେକର୍ଡ କରିଥିବା ବେଳେ ପୁରା ଘଟଣା କଣ ହୋଇଛି ତାହା ସ୍ପଷ୍ଟ କରିନି କମିସନରେଟ ପୋଲିସ ।

Leave a Reply

Your email address will not be published. Required fields are marked *