ନକଲ ସାହିତ୍ୟ କେବେବି ସ୍ଥାୟୀ ନୁହେଁ, ମୌଳିକତା ହିଁ ସାହିତ୍ୟର ମୂଳ ହେବା ଦରକାର : ମିନାକ୍ଷୀ ପାଢ଼ୀ

ପିଲାଟି ଦିନରୁ ସାହିତ୍ୟ ପ୍ରତି ତାଙ୍କର ଥିଲା ଅହେତୁକ ଆଗ୍ରହ । ତେଣୁ ସେ ଗପ ଓ କବିତାକୁ ଖୁବ୍ ଆନନ୍ଦର ସହିତ ପଢୁଥିଲେ। ଯାହା ପରବର୍ତ୍ତୀ କାଳରେ ଲେଖିବାର ଆଗ୍ରହକୁ ବହୁ ପରିମାଣରେ ବାଢ଼ିଦେଇଥିଲା | ସେହି ସାହିତ୍ୟିକା ହେଉଛନ୍ତି ଶ୍ରୀମତୀ ମିନାକ୍ଷୀ ପାଢ଼ୀ।
ନୟାଗଡରେ ଜନ୍ମିତା ମିନାକ୍ଷୀ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଶିକ୍ଷକତାକୁ ବୃତି ଭାବେ ବାଛିଥିଲେ । ବିଧିବଦ୍ଧ ଭାବେ ଦଶମ ଶ୍ରେଣୀ ପରେ ସାହିତ୍ୟ ରଚନା କରିବାକୁ ଲାଗିଲେ ମିନାକ୍ଷୀ।ତାଙ୍କର ପ୍ରଥମ ଲେଖା “ଶାମୁକା ପତ୍ରିକା”ରେ ଜନଜାତି ଓ ଆଦିବାସୀଙ୍କ ଉପରେ ରଚିତ ଏକ ପ୍ରବନ୍ଧ ମାଧ୍ୟମରେ ପ୍ରକାଶ ପାଇଥିଲା।
ଯେହେତୁ ଏକ ରକ୍ଷଣଶୀଳ ପରିବାରରେ ଜନ୍ମଗ୍ରହଣ କରିଥିଲେ ତେଣୁ କବିତା ଲେଖିବାକୁ ଟିକେ ସଂକୋଚ କରୁଥିଲେ ଓ ନିଜର କବିତାକୁ ଘରର ଚାରିକାନ୍ଥ ମଧ୍ୟରେ ରଖି ଦେଉଥିଲେ ଏହି ଲେଖିକା।କିନ୍ତୁ ନିଜର ଚାକିରୀ ଜୀବନ ଆରମ୍ଭ କରିବା ପରେ ପୁଣି ମିନାକ୍ଷୀଙ୍କ ମଧ୍ୟରେ ସାହିତ୍ୟର ନିଶା ପୁନଃଜାଗ୍ରତ ହେଲା।
ବିଦ୍ୟାଳୟର ବାର୍ଷିକ ଉତ୍ସବ ହେଉ କିମ୍ଵା ସ୍ୱାଧୀନତା ଦିବସ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜିତ ପ୍ରାରମ୍ଭିକ ସଂଗୀତର ପଦକୁ ଲେଖିବା ସହ ତାର ସ୍ୱର ସଂଯୋଜନା କରୁଥିଲେ ମିନାକ୍ଷୀ।
ତେବେ ଆଧୁନିକ କବିତା,ଶିଶୁ ଗପ ଉପରେ ଲେଖିବାକୁ ପସନ୍ଦ କରନ୍ତି ଏହି ଲେଖିକା । ଓଡ଼ିଆ ସାହିତ୍ୟରେ ପ୍ରତିଭା ରାୟ, ଗୋପୀନାଥ ମହାନ୍ତି ଓ ବିଭୁତି ପଟ୍ଟନାୟକଙ୍କୁ ନିଜର ପ୍ରେରଣା ମଣନ୍ତି ମିନାକ୍ଷୀ ପାଢ଼ୀ।

ମିନାକ୍ଷୀ ପାଢ଼ୀଙ୍କ ଦ୍ଵାରା ରଚିତ କିଛି କୃତି ଓ ପୁରସ୍କାର-
ନିଦାଘର ଝାଞ୍ଜି ଓ କୋମଳ କୃଷ୍ଣଚୁଡା,ଶିଶୁ କବିତାରେ(ମହକ ଓ ଗୁଞ୍ଜନ)।
ପୁରସ୍କାର-ସମ୍ବାଦ ସାହିତ୍ୟ ଘର;ଚିକିଟି,ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ,ଓଡ଼ିଶା ଫାଇଲ୍ସ ସାରସ୍ୱତ ସମ୍ମାନ,ଶ୍ରେଷ୍ଠ ପ୍ରତିଭା ସମ୍ମାନ(ଶ୍ରେଷ୍ଠ କବି ୨୦୨୧) ଇତ୍ୟାଦି।

ମିନାକ୍ଷୀ ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରକୁ ଯେଉଁ ଯୁବବର୍ଗ ଆସୁଛନ୍ତି ସେମାନଙ୍କୁ ଏହି ଉପଦେଶ ଦେବାକୁ ଚାହାନ୍ତି କି ରାତାରାତି ସଫଳତା ହାସଲ କରିବା ଲକ୍ଷ୍ୟରେ ଯେଉଁ ନକଲ ସାହିତ୍ୟ ରଚନା ହେଉଛି ସେଥିରେ ପ୍ରତିବନ୍ଧକ ଲଗାଯିବା ସହିତ ବର୍ତ୍ତମାନର ଯୁବପିଢ଼ି ପୁରସ୍କାର ଉପରେ ନ ଧାଇଁ ମୌଳିକ ଲେଖା ଉପରେ ମନୋନିବେଶ କରନ୍ତୁ।ଏହା ସହିତ ବର୍ତ୍ତମାନର ଫେସବୁକ୍ ଯୁଗରେ କିଛି ଲେଖକ ପ୍ରସିଦ୍ଧି ଲାଭ ପାଇଁ ନିଜ ଲେଖା ସହିତ ନିଜର ଯେଉଁ ଫଟୋ ଯୋଡୁଛନ୍ତି ତାହା ନ କରିବା ଉଚିତ୍।ଏହା ହେବା ଦ୍ୱାରା ପାଠକମାନେ ସୌନ୍ଦର୍ଯ୍ୟ ମୁଖ ଆଡ଼କୁ ଟାଣି ହେଉଛନ୍ତି ଓ ସାହିତ୍ୟକୁ ଅଣଦେଖା କରୁଛନ୍ତି।ଆଗାମୀ ଦିନରେ ଏମିତି ସାହିତ୍ୟ ରଚନା କରିବେ ଓ ନିଜର ଲେଖା ଦ୍ୱାରା ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଲେଖିକା ଜଣକ।

Leave a Reply

Your email address will not be published.