ବିଶ୍ୱ ଓଡ଼ିଶା ସମାଜ ଦ୍ୱାରା ଆନ୍ତର୍ଜାତିକ ଆଭାସି ଆଲୋକ ଉତ୍ସବ ଆୟୋଜିତ

ନର୍ଥକାରୋଲିନା / ଟରୋଣ୍ଟୋ / ସିଙ୍ଗାପୁର / ମୋନାଘନ / କାନବେରା / ନୂଆଦିଲ୍ଲୀ / କୋଲକାତା / ଭୁବନେଶ୍ୱର / କଟକ, ୭ା୧୧ : ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ମହିମା, ମହାନତା ଓ ମହନୀୟତାକୁ ବିଶ୍ୱ ଦରବାରରେ ପରିଚିତ, ପ୍ରତିପାଦିତ ଓ ପ୍ରତିଷ୍ଠିତ କରାଇବାରେ ବିଶ୍ୱ ଓଡ଼ିଶା ସମାଜ (ବିଓସ) ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୃଢ଼ ଆଶା ପୋଷଣ କରିଛନ୍ତି । ଭୁବନେଶ୍ୱରର ନୟାପଲ୍ଲୀଠାରେ ବିଓସର ଆନ୍ତର୍ଜାତିକ ମୁଖ୍ୟାଳୟ ଉଦଘାଟନ ଏବଂ ଆଲୋକ ଉତ୍ସବରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଫେସର ଲାଲ, ଭବିଷ୍ୟତରେ ସାରା ପୃଥିବୀର ମାନବ ସମାଜକୁ ଜ୍ଞାନ, ଗୁଣ ଓ ଗାରିମା ବାବଦରେ ଦିଗ୍‍ଦର୍ଶନ ଦେବାକୁ ଓଡ଼ିଶା ନିକଟରେ ଅପାର ଭୌତିକ ଓ ବୌଦ୍ଧିକ ଭଣ୍ଡାର ମହଜୁଦ ଥିବା ଦର୍ଶାଇଥିଲେ । ଉଭୟ ଭର୍ଚ୍ଚୁଆଲ ଓ ଫିଜିକାଲ ଶୈଳୀରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ପ୍ରବାସୀ ଓଡ଼ିଆ, ଓଡ଼ିଶାର ଶୁଭେଚ୍ଛୁ, ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା ଓ ବିଓସର ସଦସ୍ୟମାନେ ଶତାଧିକ ସଂଖ୍ୟାରେ ସାମିଲ ହେଇଥିବାବେଳେ ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ଲାଇଭଷ୍ଟ୍ରିମିଂ ମାଧ୍ୟମରେ ସହସ୍ରାଧିକ ଦର୍ଶକ ଏହାକୁ ଦେଖିଥିବା ଲକ୍ଷ କରାଯାଇଥିଲା ।
ସ୍ୱାଗତ ଭାଷଣ ପ୍ରଦାନ କରି ବିଓସର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ମାତୃ ପ୍ରଦେଶ ଓଡ଼ିଶାର ଭାଗ୍ୟୋଦୟ ପାଇଁ ସାରା ବିଶ୍ୱର ଓଡ଼ିଆ ଏକଜୁଟ ହୋଇଥିବା ବିଷୟକୁ ଅଭୂତପୂର୍ବ ଓ ଐତିହାସିକ ଆଖ୍ୟା ଦେଇଥିଲେ । ବିଓସର ପ୍ରତିଷ୍ଠାତା ଡଃ ଅରୁନ୍ଧତୀ ଦେବୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଓସର ଉପଦେଷ୍ଟା ଧୀରେନ୍ଦ୍ର କର ଓଡ଼ିଶାର ବୈଶିଷ୍ଟ୍ୟ, ସୁନ୍ଦରତମ, ମଧୁରତମ ଓ ଦୀର୍ଘତମ ବୋଲି ଉଲ୍ଲେଖ କରିଥିଲେ । ସମାବେଶକୁ ସମ୍ବୋଧନ କରି ଅତିଥି ବକ୍ତା ବିଖ୍ୟାତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ ବିଶ୍ୱ ଓଡ଼ିଶା ସମାଜ ଓଡ଼ିଶାର ଆଧ୍ୟାତ୍ମିକ, ସାରସ୍ୱତ, ସତ୍ୟ, ଶାନ୍ତି, ଆନନ୍ଦ, ମୈତ୍ରୀ ଓ ପ୍ରଗତିର ବାର୍ତ୍ତାରେ ସାରା ପୃଥିବୀକୁ ଉଦ୍‍ବୃଦ୍ଧ କରିବ ବୋଲି ଦମ୍ଭପ୍ରକାଶ କରିଥିଲେ । ଅଧୀବେଶନରେ ଉଦ୍‍ବୋଧନ ଦେଇ ମୁଖ୍ୟ ବକ୍ତା ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ରାମାୟଣ ଓ ଦୀପଦାନର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରି ଏହା ଓଡ଼ିଆ ଓ ଭାରତୀୟମାନଙ୍କୁ ଯୁଗଯୁଗ ଧରି ଅନୁପ୍ରାଣିତ କରିଆସିଥିବା ସୂଚାଇଥିଲେ । ବିଓସର ଉପାଧ୍ୟକ୍ଷ ନଳୀନି ପତି, ଆମେରିକାରୁ ଅଷ୍ଟ୍ରେଲିଆ ଏବଂ ଦୁବାଇରୁ ଜାପାନ ପର୍ଯ୍ୟନ୍ତ ପୃଥିବୀବ୍ୟାପି ବିଭିନ୍ନ ଦେଶଗୁଡ଼ିକ ବିଶ୍ୱ ଓଡ଼ିଶା ସମାଜ ସହିତ ସାମିଲ ହୋଇଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରାୟ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଓସ ଉତ୍ସର୍ଗୀକୃତ ପ୍ରୟାସ କରିବ ବୋଲି ଘୋଷଣା କରିଥିଲେ । ବିଓସର ମାତୃଭାଷା ପ୍ରୋତ୍ସାହନର ସାଧାରଣ ସମ୍ପାଦକ ପବିତ୍ର ମହାରଥା ବିଓସ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ତଥା ପ୍ରସାର ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ପ୍ରକାଶ କରିଥିଲେ । ବିଓସର ସେକ୍ରେଟାରୀ ଜେନେରାଲ ଶିବରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଲୋକ ଉତ୍ସବରେ ସ୍ଥାନ ପାଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଅନିନ୍ଦିତା ଦାସ ଏବଂ ଟ୍ରୁପ୍‍, ସନ୍ଦୀପ ମିଶ୍ର, ମାନସ କୁମାର, ଶିଳ୍ପୀ ପତି, ପ୍ରୀତିମୋହନ ମହାପାତ୍ର, ସୁଧାଂଶୁ ଜେନା ଏବଂ ନବଜ୍ୟୋତି ଦାସ ପ୍ରମୁଖଙ୍କର ସୁଲଳୀତ ସଂଗୀତର ମୁର୍ଚ୍ଛନା ଖୁବ୍‍ ମନୋରଞ୍ଜକ ଥିଲା । ସଂନ୍ଧ୍ୟାରେ ପ୍ରମୁଖ ଆକର୍ଷଣ ମଧ୍ୟରେ ରାଜ କିଶୋର ଗୋଚ୍ଛାୟତଙ୍କର ସଂଗୀତ ସଂଯୋଜନା, ଡଃ ତନ୍ମୟ ପଣ୍ଡାଙ୍କ ଦ୍ୱାରା ଉପସ୍ଥାପିତ ଅକ୍ଷୟ ମହାନ୍ତିଙ୍କ ସହିତ ସଂଗୀତମୟ ଯାତ୍ରା ଏବଂ ପ୍ରତିଭାବାନ ଫଟୋଗ୍ରାଫର ସମରେନ୍ଦ୍ର ଦାସଙ୍କର ପିପିଟି ଲିଭିଂ ଲେନ୍ସସେସ୍‍ ଆଦି ଅନ୍ତର୍ଭୁକ୍ତ ଥିଲା ।
ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମକୁ ସୁନାମଧନ୍ୟ ସାହିତ୍ୟିକ ପୀତାମ୍ବର ବାରିକ ଏବଂ କବୟତ୍ରୀ ରୀତା ପାତ୍ର ସଂଯୋଜନା କରିଥିଲେ । ଶଙ୍କର ପରିଡ଼ା, ସନାତନ ମହାକୁଡ଼, ଇପ୍‍ସିତା ଷଡ଼ଙ୍ଗୀ, ରକ୍ଷକ ନାୟକ ଓ ସୁନନ୍ଦା ମିଶ୍ର ପଣ୍ଡା ପ୍ରମୁଖ କବି ସେମାନଙ୍କର କବିତା ଆବୃତ୍ତି କରିଥିଲେ । ବିଭିନ୍ନ ରାଷ୍ଟ୍ରର ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ୟୁ.କେରୁ ଡଃ ନାଟାଲୀ ରାଉତ, ଆବୁଧାବୀରୁ ଜସ୍ମୀନ ଦାସ ଓ ଭାରତରୁ ତନୁଶ୍ରୀ ମହାନ୍ତିଙ୍କର ଓଡ଼ିଶୀ ନୃତ୍ୟ, ସିଙ୍ଗାପୁରରୁ ମା’ଝିଅ ବନୋଜିନୀ ନାୟକ ଓ ଆୟେସା ସ୍ୱାଇଁଙ୍କର ଦୀପାବଳି ନୃତ୍ୟ, ଆୟରଲ୍ୟାଣ୍ଡ୍‍ରୁ ସୀମାରାଣି ଦାସଙ୍କର ସଂଗୀତ, ଅଷ୍ଟ୍ରେଲିଆରୁ ସମ୍ୟକ ମିଶ୍ର ଓ ସରିତା ଦାଶଙ୍କର ଓଡ଼ିଆ ଡୁଏଟ୍‍ ଗାନ, ରୁଷ ଓଡ଼ିଆ ସମାଜର ନାଟକ, ରୁଷ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ରଙ୍କର ଗାୟନ, ବାହାରିନ ଓଡ଼ିଆ ସମାଜର ଲୋକନୃତ୍ୟ ଏବଂ ଆବୁଧାବୀ ଓଡ଼ିଆ ସମାଜର ନୃତ୍ୟ ଓ ସଂଗୀତ ପ୍ରଭୃତି ସ୍ଥାନ ପାଇଥିଲା । ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ରେ ଅର୍କେଷ୍ଟ୍ରାକୁ ଯନ୍ତ୍ର ସଂଗୀତରେ ବାବୁଲ୍‍ କୁମାର, ସଞ୍ଜୟ କୁମାର ରାଉତ, ରାଜେନ୍ଦ୍ର ଦାଶ, ଆଲୋକ ପୃଷ୍ଟି, ଅଜୟ ଚୌଧୁରୀ, ଚିନ୍ତାମଣି ମିଶ୍ର ଓ ଶିବନାରାୟଣ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସମଗ୍ର ସମାରୋହକୁ ଡଃ ଭାଗ୍ୟଶ୍ରୀ ସିଂହ, ପ୍ରଦୀପ ମହାପାତ୍ର ଓ ବନୋଜିନୀ ନାୟକ ପ୍ରମୁଖ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ ।
ଆଲୋକ ଉତ୍ସବର ଆୟୋଜନ ଓ ପରିଚାଳନାରେ ବିଓସର ଜାତୀୟ ସଂଯୋଜକ ପ୍ରଦୀପ ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ଅକ୍ଷୟ ମହାନ୍ତି, ବନୋଜିନୀ ନାୟକ ଓ ସୁଲିିପ୍ତା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଯୁବ ଟିମ୍‍ ସଦସ୍ୟ ନନ୍ଦନ ଦ୍ୱିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ । ସାଂସ୍କୃତିକ ସମ୍ପାଦିକା କାବେରୀ ବେହେରା ଉତ୍ସବର ସଫଳତା ପାଇଁ ଆୟୋଜକ ଓ ଅଂଶଗ୍ରହଣକାରୀମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
ସାଂସ୍କୃତିକ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ମଧ୍ୟରେ ସ୍ନେହଲତା ପୃଷ୍ଟିଙ୍କର ଭଲପାଇବାର ଭାଷା ଶିର୍ଷକ ଗଳ୍ପ ପଠନ ଥିଲା । ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଜୟ ଅଗ୍ରୱାଲ, ଅମିୟ ମିଶ୍ର, ପ୍ରଦୀପ ରଥ, ଚିଦାତ୍ମିକା ଖଟୁଆ, ରୁପା ଦାଶ, ଦୀପକ ଦାସ, ଦୀନେଶ ମହାନ୍ତି, ବ୍ରହ୍ମା ମିଶ୍ର, ବ୍ରହ୍ମାନନ୍ଦ ଦଣ୍ଡପାଟ, କୁଳଦୀପ ରଥ, ସୁଶାନ୍ତ ପଣ୍ଡା, ସିତାଂଶୁ ଶେଖର ନନ୍ଦ, ପୀୟୂଷ ମହାପାତ୍ର, କୃପାନିଧି ବିଶ୍ୱାଳ, ରବିନାରାୟଣ ବେହେରା, ପ୍ରସନ୍ନ କୁମାର ହୋତା, ମମତା ପ୍ରଧାନ, ପ୍ରମୋଦ କୁମାର, ଦେବର୍ଶୀ ମଲ୍ଲିକ, ଗୋକୁଲ ପଟ୍ଟନାୟକ, ଦୀପକ ପରିଡ଼ା, ପ୍ରିତିସ ଦଶ, ଡକ୍ଟର ବିଭୁତିଭୂଷଣ ପଟ୍ଟନାୟକ, ପୁଷ୍ପାଞ୍ଜଳି ବାରିକ, ସୋଭନ ବେହେରା, କୈଳାଶ ବୈଷ୍ଣବ, ସତ୍ୟବ୍ରତ ମହାନ୍ତି, ଅହଲ୍ୟା ବାରିକ, ରାଜଲକ୍ଷ୍ମୀ ପାତ୍ର, ଡକ୍ଟର ଅର୍ଚ୍ଚନା ବାରିକ, ବ୍ୟାସଦେବ ନାୟକ, ଏମ୍‍.ଏସ୍‍. ଜମାନ୍‍, ରବି ମହାପାତ୍ର, ରାମକୃଷ୍ଣ ଦାଶ, ଚିରଞ୍ଜୀବି ସ୍ୱାଇଁ, ଅରବିନ୍ଦ ବିଶ୍ୱାଳ, ଡକ୍ଟର ଅନିତା ପଣ୍ଡା, ସୁଦିପ୍ତ ପଟ୍ଟନାୟକ, ପ୍ରତିଭା ପଣ୍ଡା ଓ ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Leave a Reply

Your email address will not be published.