ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା ; କନ୍ଧମାଳରେ ୩୮ମିମି ରେକର୍ଡ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲା କୋଟାଗଡ଼ରେ ୩୮ମିମି ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ୩୬.୪ମିମି, ନୂଆପଡ଼ା ଜିଲ୍ଲା ନୂଆପଡ଼‌ାରେ ୨୬ମିମି ଓ ନବରଙ୍ଗପୁର ରାଇଘରରେ ୨୧ମିମି ବର୍ଷା ହୋଇଛି। ଆସନ୍ତା ୩ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବାରୁ ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆଜି ପାରଳାଖେମୁଣ୍ଡିଠାରେ ୧୩ଡିଗ୍ରି ରେକର୍ଡ ହୋଇଛି। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କେନ୍ଦ୍ର କହିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୧୪ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟା‌ଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ୧୫ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୩ ତାରିଖ ଦିନ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *