ନୂଆ ଡ୍ରେସ୍‌ କଣିବା ପାଇଁ ଟଙ୍କା ନଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷ ବୟସର ନାବାଳକ ପୁଅ

କେନ୍ଦୁଝର: ନାବାଳକ ପୁଅର ନାରକୀୟ କାଣ୍ଡ । ନୂଆ ଡ୍ରେସ୍‌ କିଣିବାକୁ ମାଆ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷର ନାବାଳକ ପୁଅ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଉପରବରଡ଼ା ଗାଁରେ । ପୁଅ ମାଆକୁ ନୂଆ ଡ୍ରେସ୍‌ କିଣିବାକୁ ଟଙ୍କା ମାଗିଥିଲା କିନ୍ତୁ ମାଆ ଟଙ୍କା ଦେବାକୁ ମାନ କରିଦେବାରୁ ୧୦ ବର୍ଷର ପୁଅ ମାକୁ ଟାଙ୍ଗିଆରେ ହାଣି ମାରିଦେଇଛି। ନିଜ ମାକୁ ମାରିବା ପରେ ନିଜେ ଯାଇ ଗାଁ ଲୋକଙ୍କୁ ହତ୍ୟା କରିଥିବା ନେଇ ଖବର ଦେଇଥିଲା। ଏହାପରେ ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନାବାଳକ ପୁଅକୁ ଥାନାରେ ଅଟକ ରଖିଛି।

ଘଟଣାନେଇ ପୁଲିସ କହିବା ଅନୁସାରେ ଉପରବରଡ଼ା ଗାଁର ମଙ୍ଗୁଳି ସାଆନ୍ତଙ୍କ ୧୦ ବର୍ଷର ପୁଅ ଗୁରୁବାର ସନ୍ଧ୍ୟାରେ ମା’ଙ୍କୁ କହିଥିଲା ଯେ, ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି। ମୋ ପାଇଁ ମଧ୍ୟ ନୂଆ ଡ୍ରେସ୍‌ ଦରକାର। ଏଥି ପାଇଁ ସେ ମା’ଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ମଙ୍ଗୁଳି ସାଆନ୍ତ ଗରିବ ଶ୍ରେଣୀର ହୋଇଥିବା ତାଙ୍କ ପାଖରେ ପୁଅର ଡ୍ରେସ୍‌ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ସେ ପୁଅକୁ ଟଙ୍କା ଦେଇ ପାରି ନଥିଲା। ମା’ ଯେତେଯାହା ବୁଝାଇଲା ପରେ ମଧ୍ୟ ନାବାଳକ ପୁଅ କିଛି ଶୁଣି ନଥିଲା। ବରଂ ମା’ଙ୍କ ସହିତ ଯୁକ୍ତିତର୍କ କରିଥିଲା।

ଶେଷରେ ଉତ୍ତେଜିତ ହୋଇ ଘର ଭିତରୁ ଏକ ଟାଙ୍ଗିଆ ଆଣି ମା’ଙ୍କ ଉପରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ମା’ଙ୍କୁ ହତ୍ୟା କରିସାରିବା ପରେ ପୁଅ ଗାଁରେ ଯାଇ ଅନ୍ୟମାନଙ୍କୁ ଏବାବଦରେ ଖବର ଦେଇଥିଲା। ଗାଁ ଲୋକ ନୟାକୋଟ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇଁ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି।

Leave a Reply

Your email address will not be published. Required fields are marked *