ଜଗତସିଂହପୁରରେ ଆଉ ନାହାନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ : ସ୍ପେଶାଲ ବ୍ରାଂଚ ଧରିବାପରେ ସନ୍ଦେହରେ ଏଡିଏମଙ୍କ ରିପୋର୍ଟ

ଭୁବନେଶ୍ୱର : ଜଗତସିଂହପୁରରୁ କୁଆଡ଼େ ଗଲେ ୧,୧୧୨ ଅନୁପ୍ରବେଶକାରୀ ବାଂଲାଦେଶୀ? ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବରଗଡ଼, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ମୋଟ ୩,୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି ବୋଲି ନିକଟରେ ଜୁଲାଇ ୪ ତାରିଖରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ଦେଇଥିଲେ। ଏଥିରୁ ୧,୭୧୧ଜଣଙ୍କୁ ଦେଶାନ୍ତର ନୋଟିସ୍ ହେବା ପରେ ୨୧ଜଣଙ୍କୁ ଦେଶାନ୍ତର କରାଯାଇଛି ବୋଲି ସୂଚନା ଦେଇଥିଲେ।

ନିକଟରେ ପୁଣି ଥରେ ବିଧାନସଭା ପାଇଁ ସରକାର ଉତ୍ତର ଦେବାକୁ ଯାଉଥିବା ବେଳେ ଜଗତସିଂହପୁର ଏଡିଏମ ସେପଟେମ୍ବର ୧୫ ତାରିଖରେ ଜଗତସିଂହରପୁର ଜିଲ୍ଲାରେ କୌଣସି ବାଂଲାଦେଶୀ ଅନୁପ୍ରେବଶକାରୀ ବେଆଇନ ଭାବେ ରହୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏଭଳି ସନ୍ଦେହଜନକ ଉତ୍ତରକୁ ରାଜ୍ୟ ସରକାରଙ୍କ ସ୍ପେଶାଲ ବ୍ରାଂଚ ଧରିବା ସହ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ସ୍ପଷ୍ଟୀକରଣ ଦେବାକୁ ଜଗତସିଂହପୁର ଏସପିଙ୍କୁ ଜଣାଇଛି।

ଅନୁପ୍ରବେଶକାରୀଙ୍କ ଯୋଗୁ ଭାରତୀୟ ନାଗରିକଙ୍କର କ୍ଷତି ନହେବା ପାଇଁ ଭାରତ ସରକାର ରାଜ୍ୟ ସରକାରଗୁଡ଼ିକୁ ବାରମ୍ବାର ମାର୍ଗଦର୍ଶିକା ଜାରି କରିଛନ୍ତି। ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ ଫରେନର୍ସ ଆକ୍ଟ, ୧୯୪୬ ଓ ପାସପୋର୍ଟ ଆକ୍ଟ, ୧୯୨୦ରେ ମାମଲା ରୁଜୁ କରି ଦେଶାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ଓଡ଼ିଶାର ୪୭୬ କିମି ବେଳାଭୂମି ସୁରକ୍ଷା ପାଇଁ କେନ୍ଦ୍ର ସରକାର ଉପକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ସହ ବୋଟ, ଗାଡ଼ି ଭଳି କେତେକ ସହାୟତା ଯୋଗାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *