ପ୍ରଗତିଶୀଳ ସାହିତ୍ୟରେ ପ୍ରତିଫଳିତ ହୁଏ ନାରୀବାଦର ଦର୍ଶନ – ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

ସେ ଅନନ୍ୟା । ଏକାଧାରରେ ଜଣେ ସୁଗୃହିଣୀ,ଆଦର୍ଶ ଜନନୀ ତଥା ସାରସ୍ବତ ଅନୁଷ୍ଠାନ କ୍ୟାଫେଟେରିଆ ସାହିତ୍ୟ ଖଟିର ସଭାପତି ରୂପେ କର୍ତ୍ତବ୍ୟ ସମ୍ପାଦନ କରନ୍ତି।ତାଙ୍କ ସାହିତ୍ୟରେ ସ୍ପଷ୍ଟ ବାରି ହୋଇପଡେ ପ୍ରଗତିଶୀଳ ଚିନ୍ତାଧାରାର ସ୍ୱରୂପ।କାରଣ ସେ ଟିକେ ନିଆରା । ସମାଜର ଚିରାଚରିତ ପ୍ରଥାର ବେଡି ବନ୍ଧନରେ ନିଜକୁ ବାନ୍ଧି ନ ରଖି ସେ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହାନ୍ତି କେବଳ ସେତିକି ନୁହେଁ ମନର ଅସମାହିତ ପ୍ରଶ୍ନର ଉତ୍ତରକୁ ପାଇବା ପାଇଁ ସନ୍ଧାନ ମଧ୍ୟ କରନ୍ତି । ସେହି ପ୍ରଗତିବାଦୀ ଯୁବ ଲେଖିକା ଜଣକ ହେଉଛନ୍ତି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର । ଅବିଭକ୍ତ କଟକ ଜିଲ୍ଲାର ପାରାଦ୍ବୀପର ଏକ ଜମିଦାର ବ୍ରାହ୍ମଣ ପରିବାରରେ ଜନ୍ମିତା ଶୁଭସ୍ମିତା ନିଜର ଶୈକ୍ଷିକ ଜୀବନର ଅନେକ ସମୟ ଛାତ୍ରାବାସରେ କାଟିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ତେବେ ସାହିତ୍ୟ କ୍ଷେତ୍ରରେ ଆସିବା ପାଇଁ ତାଙ୍କର ପ୍ରଥମ ପ୍ରେରଣା ସାଜିଥିଲେ ମାମୁଁ ଓ ବଡ଼ ପିଉସୀ ସାହିତ୍ୟିକା ଡ଼.ସୌଦାମିନୀ ନନ୍ଦ । ଏହି ଦୁଇ ଗୁରୁଜନଙ୍କ ଠାରୁ ସାହିତ୍ୟରେ ଶବ୍ଦ ପଠନ ଏବଂ ଏହାକୁ କିପରି ପରଖି ସମୃଦ୍ଧ କରାଯାଇ ପାରିବ ଏହାର ମୂଳମନ୍ତ୍ର ପାଇଥିଲେ ଶ୍ରୀମତୀ ମିଶ୍ର | ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ କବିତା (ମଲିଫୁଲ) ଜରିଆରେ ପ୍ରଥମେ ଲେଖନୀ ଧରିଥିଲେ ଏହି ଲେଖିକା ଜଣକ । ତହିଁରୁ ସାଉଁଟି ଥିଲେ ସେ ଅନେକ ପ୍ରସଂଶା।ପିଲାବେଳୁ ତାଙ୍କ ଘରେ ଥିଲା ପଢ଼ିବାର ମାହୋଲ୍ ଫଳରେ ଏକାଠି ବସି ନାନା ପ୍ରସଙ୍ଗ ଉପରେ ଆଲୋଚନା କରିବାର ପରମ୍ପରା ତାଙ୍କ ଘରୁ ହିଁ  ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ଘରର ପିଲାମାନେ ବଡଙ୍କ ଦ୍ୱାରା ଉତ୍ସାହିତ ହୋଇ ଭବିଷ୍ୟ ପାଇଁ ମାର୍ଗ ପାଉଥିଲେ । ଯାହାର ଆଜି ସଫଳ ଉଦାହରଣ କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ।

ଲେଖିକା ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କିଛି କୃତି ଓ ପୁରସ୍କାର-

କାବ୍ୟ ସଂକଳନ-ଅରଣ୍ୟା,ଅଗ୍ନିକା ଭାଗ ୧ଓ୨,ଗର୍ଭାଗ୍ନି,ଅଗ୍ନି ସରସ୍ବତୀ ଓ ଆୟୁଧା।

ପୁରସ୍କାର-
ପଲ୍ଲବନ ଶବ୍ଦ ପୁରସ୍କାର,ନାଓ-ଅନନ୍ୟା ସମ୍ମାନ,ଆଶା ଲେଖିକା ସମ୍ମାନ,ବରଗଡ଼ କାବ୍ୟ ଫଗୁଣ ସମ୍ମାନ ଇତ୍ୟାଦି ।

ଶୁଭଶ୍ରୀଙ୍କ ସାହିତ୍ୟରେ ଥାଏ ନାରୀବାଦର ଦର୍ଶନ ଓ ଚିନ୍ତନ।ତାଙ୍କ ସାହିତ୍ୟରେ ପ୍ରତିଫଳିତ ହୁଏ ନାରୀର ପ୍ରତିରୂପ।ସାର୍ବଜନୀନ ଦୁଃଖ ଓ କଷ୍ଟକୁ ପ୍ରଥମେ ନିଜର ଭାବି ତାକୁ ସାହିତ୍ୟିକ ଚରିତ୍ର ଜରିଆରେ ଉପସ୍ଥାପନା କରନ୍ତି ଶ୍ରୀମତୀ ମିଶ୍ର । ପିଲାଟି ଦିନରୁ ଉପନ୍ୟାସରେ ରୁଚି ରଖୁଥିବା ଶୁଭଶ୍ରୀ ସାହିତ୍ୟ ଓ ସାହିତ୍ୟିକର ସର୍ଜନା ବିଷୟରେ ଏହି ମତ ଦିଅନ୍ତି ଯେ “କବି ପାଖେ ମସ୍ତିଷ୍କ ନ ଥାଏ । ଥାଏ କେବଳ ୭୫୦ ଗ୍ରାମର ବିଶାଳ ହୃଦୟ ।

ସାହିତ୍ୟ ସମାଜର ଦର୍ପଣ ଓ ସମୟର ସାକ୍ଷୀ।ଜଣେ ଲେଖିକ ଲେଖିବା ସମୟରେ ଅନେକ ଦାୟିତ୍ଵ ପରିବହନ କରି ଲେଖେ।ସମାନ୍ତରାଳ ଇତିହାସକୁ ଜଣେ ଲେଖିଲେ ମଧ୍ୟ ଅନେକ ଘଟଣା ଓ ତଥ୍ୟ ନେଇ ଲେଖକ ଜଣକ ଲେଖିଥାଏ ଯାହା ତାଙ୍କର କର୍ତ୍ତବ୍ୟ । ” ଆଗକୁ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶୁଭଶ୍ରୀ ଶୁଭସ୍ମିତା ଏହି ଉପଦେଶ ଦିଅନ୍ତି ଯେ “ପ୍ରତିଭା ନ ଥିଲେ କଦାପି ଆମେ ଶୀର୍ଷ ସ୍ଥାନ ଅଧିକାର କରିପାରିବା ନାହିଁ।ମହୁ ଚୋରି ନ କରି ପ୍ରଥମେ ମହୁମାଛି ହେବା ଶିଖ।” |

Leave a Reply

Your email address will not be published.