ଦେଶର ପ୍ରଥମ ଅତ୍ୟାଧୁନିକ ରେଳ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ: ଏୟାରପୋର୍ଟ ଭଳି ସୁବିଧା ଏଣିକି ରେଳ ଷ୍ଟେସନରେ ମିଳିବ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି କରାଯାଇଥିବା ଦେଶର ପ୍ରଥମ ରେଳ ଷ୍ଟେସନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛି। ମଧ୍ୟପ୍ରଦେଶର ଭୋପାଳରେ ଥିବା ହବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି। ଏଥିସହ ଏହାର ନାଁକୁ ହବିବଗଞ୍ଜ ବଦଳରେ ରାଣୀ କମଲାପତି ରେଳ ଷ୍ଟେସନ ରଖାଯାଇଛି।

କମଲାପତି ହେଉଛି ଗୋଣ୍ଡ ସଂପ୍ରଦାୟର ରାଣୀ। ଏଥିପାଇଁ ମଧ୍ୟପ୍ରଦେଶ ସରକାର ତାଙ୍କ ନାଁରେ ହବିବଗଞ୍ଜ ରେଳ ଷ୍ଟେସନକୁ ନାମିତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭୋପାଳ ଗସ୍ତ କରିବା ବେଳେ ଏହି ଅତ୍ୟାଧୁନିକ ରେଳ ଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୋଦି ଏହି ଅବସରେ କହିଛନ୍ତି, ରାଣୀ କମଲାପତିଙ୍କ ସହ ରେଳ ଷ୍ଟେସନ ଯୋଡ଼ି ହୋଇଯାଇଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି। ଗୋଣ୍ଡୱାନାଙ୍କ ସହ ରେଳବାଇ ଯୋଡ଼ିବେ ଗର୍ବର ବିଷୟ। ଏହି ଷ୍ଟେସନ ଭାରତୀୟ ରେଳବାଇର ଆଗକୁ କେମିତି ମର୍ଡନ ହେବ, ତା’ର ସଙ୍କେତ ଦେଇଛି। ପୂର୍ବରୁ କେବଳ ଏୟାରପୋର୍ଟରେ ମିଳୁଥିବା ସୁବିଧାସୁଯୋଗ ଏବେ ରେଳ ଷ୍ଟେସନରେ ମିଳିବ। ସବୁ ଲୋକ ଏହାର ସୁବିଧା ଉଠାଇ ପାରିବେ ବୋଲି ମୋଦି କହିଛନ୍ତି।

ରେଳ ଷ୍ଟେସନକୁ ୪୫୦ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯାଇଛି। ଉଭୟ ସରକାରୀ ଓ ଘରୋଇ ସଂସ୍ଥା ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି। ପୂରା ରେଳ ଷ୍ଟେସନକୁ ଗ୍ରୀନ ବିଲଡିଂ ଭଳି ତିଆରି କରାଯାଇଛି। ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁରକ୍ଷା ଓ ଚେକିଂ ବ୍ୟବସ୍ଥା ଏଠାରେ ରହିଛି। ଷ୍ଟେସନର ସାମ୍ନା ପଟ ଟର୍ମିନାଲ ଭଳି ହୋଇଛି। ଏହାର ଆଗରେ କାଚ ବି ଲାଗିଛି। ପୂର୍ବରୁ ଭାରତର କୌଣସି ରେଳ ଷ୍ଟେସନରେ ଏସବୁ ବ୍ୟବସ୍ଥା ନଥିଲା।

ସୂଚନାଯୋଗ୍ୟ, ଷୋଡ଼ଶ ଶତାବ୍ଦୀରେ ଗୋଣ୍ଡ ଶାସକଙ୍କ ଅଧୀନରେ ଭୋପାଳ ରହିଥିଲା। ଗୋଣ୍ଡ ରାଜା ସୁରତ ସିଂଙ୍କ ପୁଅ ନିଜାମ ଶାହଙ୍କୁ ରାଣୀ କମଲାପତି ବିବାହ କରିଥିଲେ। ରାଣୀ କମଲାପତି ଜୀବନସାରା ସାହସିକତା ଓ ବୀରତ୍ୱର ସହିତ ଆକ୍ରମଣକାରୀଙ୍କ ବିରୋଧରେ ଲଢ଼େଇ କରିଥିଲେ। ମୋଗଲ ସାମ୍ରାଜ୍ୟର ପତନ ପରେ ଭୋପାଳ ଠାରୁ ୫୦ କମି ଦୂରରେ ଜିନ୍ନାଉରଗଡ଼ ନାଁରେ ଗୋଟିଏ ରାଜ୍ୟ ଗଠନ ହୋଇଥିଲା। ଏହାର ଶାସକ ଥିଲେ ରାଜା ନିଜାମ ଶାହ। ତାଙ୍କ ପତ୍ନୀ ହେଉଛନ୍ତି କମଳାପତି।

Leave a Reply

Your email address will not be published. Required fields are marked *