ମୋବାଇଲ ଚୋରି ହୋଇଥିଲେ ‘୭୦୭୭୭୯୮୧୧୧’ ନମ୍ବରରେ ସମସ୍ତ ତଥ୍ୟକୁ ହ୍ଵାଟ୍ସଆପ କରିବାକୁ ପୋଲିସର ଅନୁରୋଧ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରି ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ଯେଉଁମାନଙ୍କ ମୋବାଇଲ ହଜିଛି, କିମ୍ବା ଚୋରି ହୋଇଛି ସେମାନେ ନିଜ ମୋବାଇଲର ‘ଇଏମଇଆଇ’ ନମ୍ବରକୁ ହ୍ଵାଟ୍ସଆପ କରିଲେ ପୋଲିସ ସେମାନଙ୍କ ମୋବାଇଲକୁ ଫେରସ୍ତ କରିବ ।

ଚୋରି ମୋବାଇଲକୁ ଫେରେଇବା ନେଇ ସହିଦ ନଗର ଥାନାରେ ଏକ ‘ମୋବାଇଲ ମେଳା’ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୨ଟି ଚୋରି ମୋବାଇଲକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । ଜୋନ -୫ ଏ.ସି.ପି. ସଞ୍ଜୀବ ଶତପଥୀ ଚୋରି ମୋବାଇଲକୁ ଲୋକଙ୍କୁ ଫେରସ୍ତ କରିଛନ୍ତି ।

“ଲୁଟେରାଙ୍କଠୁ ଅନେକ ଚୋରି ମୋବାଇଲ୍ ଜବତ ହେଉଛି । କିନ୍ତୁ ମୋବାଇଲ ଗୁଡ଼ିକର କୌଣସି ତଥ୍ୟ ଥାନା ମାନଙ୍କରେ ନଥିବାରୁ ଥାନାରେ ସେମିତି ପଡ଼ିରହିଛି । ଏବେ ଭୁବନେଶ୍ୱର ୟୁ.ପି.ଡ଼ି.ର ବିଭିନ୍ନ ଥାନାରେ ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଜବତ ହୋଇ ରହିଛି । ଚୋରା ମୋବାଇଲର ପ୍ରକୃତ ମାଲିକଙ୍କୁ ଅନୁରୋଧ ପୋଲିସ୍ ସହ ଯୋଗାଯୋଗ କରନ୍ତୁ । ଷ୍ଟ୍ରିଟ୍‌ କ୍ରାଇମ୍‌ ରୋକିବାକୁ ପୂର୍ବରୁ ଜାରି ହୋଇଥିବା ୭୦୭୭୭୯୮୧୧୧ ନମ୍ବରରେ ହ୍ୱାଟସ୍‌ଅପ୍‌ କରନ୍ତୁ । ଏଥିରେ ଚୋରି ହୋଇଥିବା ମୋବାଇଲ୍‌ର ଇଏମ୍‌ଇଆଇ ନମ୍ବର, ମଡେଲ୍‌ ନାମ, ରୁଜୁ ହୋଇଥିବା ମାମଲା ସଂଖ୍ୟା ଓ ନାମ, ଠିକଣା ଦିଅନ୍ତୁ । ଆପଣଙ୍କୁ ପୋଲିସ୍‌ ନିଜ ଆଡୁ ଫୋନ୍‌ କରି ଚୋରି ହୋଇଥିବା ମୋବାଇଲ୍‌ ଫେରାଇବ,” କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମାଶଙ୍କର ଦାଶ।

Leave a Reply

Your email address will not be published. Required fields are marked *