୪ ବର୍ଷ ହେଲା ହୋଇ ପାରୁନି ପୁଲିସ ସଂଘ ନିର୍ବାଚନ, ଅସନ୍ତୋଷ ସତ୍ୱେ ବି ହୋଇପାରୁନି ଦାବି ଉପସ୍ଥାପନ

କଟକ : ଓଡ଼ିଶାରେ ୬୦ ହଜାର ପୁଲିସ କର୍ମଚାରୀଙ୍କ ପ୍ରତିନିଧି କିଏ? ଓଡ଼ିଶା ପୁଲିସ ଅଫିସର୍ସ ସଂଘ, ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସ˚ଘର ନିର୍ବାଚନ ୪ ବର୍ଷ ହେବ ନହେବା ଫଳରେ ଏଭଳି ପ୍ରଶ୍ନ ମୁଣ୍ଡ ଟେକିବା ସହିତ ଏହାକୁ ନେଇ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସଂଘ ଅଚଳ ଥିବାରୁ ରାଜ୍ୟର ପୁଲିସ କର୍ମଚାରୀମାନେ ନିଜର ମୌଳିକ ସମସ୍ୟାକୁ ବିଭାଗର ମୁଖ୍ୟ ଅଥବା ସରକାରଙ୍କ ନିକଟରେ ବିଧିବଦ୍ଧ ଢଙ୍ଗରେ ପହଞ୍ଚାଇ ପାରୁ ନାହାନ୍ତି। ପୂର୍ବ ପୁଲିସ ସଂଘର କାର୍ଯ୍ୟକାଳ ଶେଷ ହେବା ପରେ ନିର୍ବାଚନ ପାଇଁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ପୂର୍ବତନ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ବର୍ତ୍ତମାନର ଡିଜିପି ସୁନିଲ ବଂଶଲଙ୍କ ଯାଏ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ସାରିଲେଣି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ପଛର ଉଦ୍ଦେଶ୍ୟକୁ ନେଇ ବି ପ୍ରଶ୍ନ ଉଠିଲାଣି।

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସ ଅଫିସର୍ସ ସଂଘ ରାଜ୍ୟର ୩୪ ପୁଲିସ ଜିଲ୍ଲା, ୭ଟି ଭିଜିଲାନ୍ସ ଡିଭିଜନ, ୧୦ ଏଷ୍ଟାବ୍ଲିସମେଣ୍ଟ, ସିଗନାଲ୍, ପିଏମଟି(ପୁଲିସ ମୋଟର ଟ୍ରାନ୍ସପୋର୍ଟ) ଇତ୍ୟାଦି ଭଳି ସଂସ୍ଥାକୁ ନେଇ ମୋଟ ୭୪ ଶାଖା ସଂଘ ବିଭିନ୍ନ ଜିଲ୍ଲାରେ ରହିଛି। ଏଥିରେ ଥିବା ଏଏସଆଇ, ଏସଆଇ, ଇନସ୍ପେକ୍ଟର ପାହ୍ୟାର ମୋଟ ୧୦ ହଜାର ଅଧିକାରୀ ଏହି ନିର୍ବାଚନ ପ୍ରକ୍ରିୟାରେ ନିଜ ନିର୍ବାଚିତ ପ୍ରତିନିଧିଙ୍କୁ ଚୟନ କରିଥାନ୍ତି। ଶେଷ ଥର ନିର୍ବାହୀ ପରିଷଦ ନିର୍ବାଚନ ୨୦୧୬ ଅକ୍ଟୋବରରେ ହୋଇଥିଲା। ସଂଘର ୨ ବର୍ଷିୟା କାର୍ଯ୍ୟକାଳ ୨୦୧୮ ନଭେମ୍ବରରୁ ଶେଷ ହେଲାଣି। ପୁନଃ ନିର୍ବାଚନ ପାଇଁ ପୁଲିସ ଡିଜିଙ୍କୁ ସଂଘ ପକ୍ଷରୁ ୫ରୁ ଅଧିକ ଥର ଚିଠି ଲେଖା ହେଲାଣି। କିନ୍ତୁ କୌଣସି ସକାରାତ୍ମକ ସ˚କେତ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଗଲା ଜାନୁଆରି ୧, ଫେବ୍ରୁଆରି ୨୦ ଓ ଫେବ୍ରୁଆରି ୨୭ ତାରିଖରେ ପୂର୍ବ ସଂଘର କର୍ମକର୍ତ୍ତାମାନେ ପୁଲିସ ଡିଜି ସୁନିଲ ବଂଶଲଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ଡିଜି ଏଯାଏ କୌଣସି ପଦକ୍ଷେପ ନେବା ଘଟଣା ସଂଘରେ ଅସନ୍ତୋଷର କାରଣ ହୋଇଛି।

ପୁଲିସ ଅଫିସର୍ସ ସ˚ଘ ଭଳି ସମାନ ପରିସ୍ଥିତି ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସ˚ଘର ବି ସୃଷ୍ଟି ହୋଇଛି। ୧୯୮୦ ମସିହାରୁ ନିର୍ବାଚନ ହୋଇ ଆସୁଥିବା ସ˚ଘରେ ଏବେ ଅଚଳାବସ୍ଥା ଦେଖା ଦେଲାଣି। ୨୦୧୭ ଏପ୍ରିଲରେ ଶେଷ ଥର ମହାସ˚ଘର ନିର୍ବାଚନ ହୋଇଥିଲା। ୨୦୧୯ ଏପ୍ରିଲରେ କାର୍ଯ୍ୟକାଳ ଶେଷ ହୋଇଥିଲା। ସେବେଠାରୁ ସ˚ଘର ନିର୍ବାଚନ ହୋଇନାହିଁ। ଇତିମଧ୍ୟରେ ସ˚ଘର ସଭାପତି ସନ୍ତୋଷ ଶତପଥୀ ଚାକିରିରୁ ଅବସର ନେଇସାରିଲେଣି। ରାଜ୍ୟରେ ମୋଟ ୫୦ଟି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟରେ କାର୍ଯ୍ୟରତ ୫୦ ହଜାର ପୁଲିସ କର୍ମଚାରୀଙ୍କୁ ପ୍ରତିନିଧିତ୍ବ କରୁଥିବା ଏହି ମହାସ˚ଘ ବି ଅଚଳ ହୋଇପଡ଼ିଛି।

ଓଡ଼ିଶାରେ କାର୍ଯ୍ୟରତ ସିପାହୀଙ୍କଠାରୁ ଇନସ୍ପେକ୍ଟର ପାହ୍ୟାର ଅଧିକାରୀଙ୍କ ବଦଳି, ପଦୋନ୍ନତି, ସ୍ବାସ୍ଥ୍ୟଗତ ଇତ୍ୟାଦି ସମସ୍ୟାକୁ ନେଇ ବିଭିନ୍ନ ସମୟରେ ସେମାନେ ସଂଘ ମାଧ୍ୟମରେ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ କରିଥାନ୍ତି। ନିଜେ ଜିଲ୍ଲା ସ୍ତରରେ କିମ୍ବା ଏଷ୍ଟାବ୍ଲିସମେଣ୍ଟ ସ୍ତରରେ କୌଣସି ପୁଲିସ କର୍ମଚାରୀ ଡିଜିଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଲେ ନିଜ କର୍ତ୍ତୃପକ୍ଷଙ୍କ ଅନୁମତି ନେବାର ଆବଶ୍ୟକତା ରହିଛି। ଯଦି କର୍ତ୍ତୃପକ୍ଷ ଅନୁମତି ନ ଦିଅନ୍ତି, ତେବେ ସେ ଅଭିଯୋଗ ନେଇ କଟକ ପୁଲିସ ମୁଖ୍ୟାଳୟକୁ ଆସିପାରନ୍ତି ନାହିଁ। ଏବେ ସଂଘ ଅଚଳ ହୋଇପଡ଼ିଥିବାରୁ ଡିଜିଙ୍କ ନିକଟରେ ହାଜର ହେବା ଏତେଟା ସହଜ ହେଉନାହିଁ।

Leave a Reply

Your email address will not be published. Required fields are marked *