ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଚିତାଭସ୍ମକୁ ଯଥାରୀତି ସମୁଦ୍ରରେ ବିସର୍ଜନ କଲେ ସମ୍ପର୍କୀୟ ଭାଇ

ଭୋଗରାଇ/ଚନ୍ଦନେଶ୍ୱର: ବିଶିଷ୍ଟ କଥାକାର ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଦେହାବଶେଷକୁ ନେଇ ବିବାଦ ଉପୁଜିବା ପରେ ଗତକାଲି ସମ୍ପର୍କୀୟ ଭାଇ ତଥା ମନ୍ମଥ-ମନୋଜ ଫାଉଣ୍ଡେସନର ସମ୍ପାଦକ ଶିକ୍ଷାବିତ୍ ସୁବାସ ଦାସ ସ୍ୱର୍ଗତ ମନୋଜ ଦାସଙ୍କ ଚିତାଭସ୍ମକୁ ଯଥାରୀତି ସମୁଦ୍ରରେ ବିସର୍ଜନ କରିଛନ୍ତି। ମନୋଜ ଦାସଙ୍କ ଚିତାଭସ୍ମକୁ ସଂପର୍କୀୟ ଭାଇ ସୁବାସ ଦାସ ପାଖରେ ରଖିବା ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିଲା। ତେବେ ଆଜି ତା’ର ଅବସାନ ଘଟିଛି। ମନୋଜପ୍ରେମୀଙ୍କ ଆବେଗକୁ ସମ୍ମାନ ଜଣାଇ ସୁବାସ ଚିତାଭସ୍ମକୁ ଯଥାରୀତି ସମୁଦ୍ରରେ ବିସର୍ଜନ କରିଛନ୍ତି।
୨୦୨୧ ମସିହା ଏପ୍ରିଲ୍‌ ୨୭ ତାରିଖ ଦିନ ପୁଡୁଚେରୀଠାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କର ପରଲୋକ ହୋଇଥିଲା। ଆଶ୍ରମ ପରିସରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ସହ ପୁଡୁଚେରୀ ନିକଟ ସମୁଦ୍ରରେ ଚିତାଭସ୍ମ ବିସର୍ଜନ କରାଯାଇଥିଲା। ତେବେ କିଛିଦିନ ତଳେ ସମ୍ପର୍କୀୟ ଭାଇ ସୁବାସ ଦାସଙ୍କ ପାଖରେ ମନୋଜ ଦାସଙ୍କ ଚିତାଭସ୍ମ ଥିବା ଚର୍ଚ୍ଚା​ ହୋଇଥିଲା। ଶ୍ରୀ ଦାସ ମଧ୍ୟ ମନୋଜ ଦାସଙ୍କ ଚିତାଭସ୍ମ ରଖିଥିବା ସ୍ବୀକାର କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ଏମିତିକି ପୁରୀ ଜିଲ୍ଲା କୋଣାର୍କ ବନଖଣ୍ଡି ଗ୍ରାମର ମନୋଜ ପ୍ରେମୀ ସଞ୍ଜୟ କୁମାର ବରାଳ ସୁବାସଙ୍କ ନାମରେ ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ବରାଳ ପ୍ରଶ୍ନ କରିଥିଲେ ଯେ ମନୋଜ ଦାସଙ୍କ ଭଳି ଜଣେ ପ୍ରତିଭାବାନ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କଥାକାରଙ୍କ ଚିତାଭସ୍ମକୁ ବିନା ଅନୁମତିରେ ସୁବାସ କାହିଁକି ରଖିଛନ୍ତି? ହିନ୍ଦୁ ପ୍ରଥା ଅନୁସାରେ ମୃତ୍ୟୁର ବର୍ଷକ ପରେ ଅସ୍ଥି ବିସର୍ଜନ କରାଯିବାର ନିୟମ ଥିବା ବେଳେ ଏହି ମହାନ ଆତ୍ମାଙ୍କ ଅସ୍ଥିକୁ ୨ ବର୍ଷ ଧରି କାହିଁକି ରଖାଯାଇଛି? ତେବେ ଏପରି ସମୟରେ ଆଜି ପୂର୍ବାହ୍ନରେ ସୁବାସ ମନୋଜପ୍ରେମୀଙ୍କ ଆବେଗକୁ ସମ୍ମାନ ଜଣାଇ ଯଥାରୀତି ତାଳସାରୀ ସମୁଦ୍ରରେ ଚିତାଭସ୍ମକୁ ବିସର୍ଜନ କରିଛନ୍ତି। ଏହି ସମୟରେ ଶିକ୍ଷାବିତ୍ ସୁଧାଂଶୁ ଶେଖର ପ୍ରଧାନ, ଶ୍ରୀପତି ଚରଣ ସଁ, ନଳୀନ କୁମାର ପାତ୍ର, ସୁଶାନ୍ତ ନାୟକ, ଶାଶ୍ୱତ କୁମାର ଜେନା, ସୁଦୀପ ଦାସ, ଅଧ୍ୟାପକ ପ୍ରମଥ ଦାସ ଅଧିକାରୀ, ରାମଚନ୍ଦ୍ର ପ୍ରଧାନ, ଅରୁଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *