ଜାଣନ୍ତୁ ଶ୍ରୀଜୀଉଙ୍କ ବନକଲାଗି ନୀତି କଣ ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ । ଆଉ ଦୈନନ୍ଦିନ ନୀତିକାନ୍ତି ବି ଅନେକ । କିନ୍ତୁ ବନକଲାଗି ନୀତି ହେଉଛି ସାପ୍ତାହିକ ନୀତି । ଅର୍ଥାତ୍ ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ସାଧାରଣ ଭକ୍ତଟିଏ ବୁଝିବା ପାଇଁ ବନକଲାଗିର ଅର୍ଥ ହେଉଛି ମୁଖ ଶୃଙ୍ଗାର ବା ମୁଖ ସଜ୍ଜା । ରତ୍ନ ସିଂହାସନ ଉପରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କର ମୁଖର ଦୀପ୍ତି ବଢ଼ାଇବା ପାଇଁ ହୋଇଥାଏ ଏହି ବନକଲାଗି ନୀତି । ବନକଲାଗି ନୀତିରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥିପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ । ପ୍ରାକୃତିକ ରଙ୍ଗରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯାଇ ଥାଏ । ବନକଲାଗି ପାଇଁ ବ୍ୟବହୃତ ସାମଗ୍ରୀ ଭିତରେ ରହିଥାଏ ହିଙ୍ଗୁଳା ଓ ହରିତାଳ । ସାଧାରଣତଃ ହିଙ୍ଗୁଳା ହେଉଛି ହଳଦିଆ ରଙ୍ଗ ଆଉ ହରିତାଳ ହେଉଛି ଲାଲ ରଂଗ । ଏହା ଅତ୍ୟନ୍ତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଇଥାଏ । ତିନି ଠାକୁରଙ୍କ ମୁଖର ରଙ୍ଗ ଅନୁସାରେ ହିଙ୍ଗୁଳା ଓ ହରିତାଳ ବ୍ୟବହାର ହୋଇଥାଏ । ସେହିପରି ଧଳା ରଂଗ ପାଇଁ ଶଙ୍ଖ ଘୋରା ଓ କଳା ରଂଗ ପାଇଁ ଦୀପ କଳା ବ୍ୟବହାର କରାଯାଇଥାଏ । ମହାପ୍ରଭୁଙ୍କ କମନୀୟ ଆଖିରେ ଏହି ଦୁଇ ପ୍ରକାରର ସାମଗ୍ରୀ ଶଙ୍ଖ ଘୋରା ଓ ଦୀପ କଳା ଲଗାଯାଇ ଥାଏ । ଆଉ ନାଲିଆ ଓଠରେ ମଖାଯାଇଥାଏ ହରିତାଳ । ସେହିପରି ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କ ମୁଖରେ ହଳଦିଆ ରଙ୍ଗ ପାଇଁ ବ୍ୟବହାର କରାଯାଇଥାଏ ହିଙ୍ଗୁଳା । ହିଙ୍ଗୁଳା, ହରିତାଳ, ଶଙ୍ଖ ଘୋରା ଓ ଦୀପ କଳା ସହ ଚନ୍ଦନ, କର୍ପୁର ଓ କସ୍ତୁରୀ ମଧ୍ୟ ମିଶାଯାଇଥାଏ । ଫଳରେ ଏହା ଅତି ସୁଗନ୍ଧିତ ହୋଇଥାଏ । ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ମୁଖ ଶୃଙ୍ଗାର କରାଯାଇଥାଏ । ଦତ୍ତ ମହାପାତ୍ର ସେବାୟତଙ୍କୁ ଏହି ସବୁ ସାମଗ୍ରୀ ଯୋଗାଇ ଦେଇଥାଏ ଶ୍ରୀମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *