ୱାର୍ଲଡ ଓଡିଶା ସୋସାଇଟ ପକ୍ଷରୁ ଶ୍ରେୟଶ୍ରୀଙ୍କୁ ସମ୍ବର୍ଦ୍ଧନା

ବରୀ : ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ବରୀ ବ୍ଲକ୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବାରୁ ଚାରିଆଡ଼ୁ ଶୁଭେଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିଛି । ଆଜି ୱାର୍ଲଡ ଓଡିଶା ସୋସାଇଟ ପକ୍ଷରୁ ଶ୍ରେୟଶ୍ରୀଙ୍କ ସହ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କୁ ପୁଷ୍ପଗୁଛ, ଉତରୀୟ, ଟ୍ରଫି ଦିଆଯାଇ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧନା କରାଯାଇଛି । ସୋସାଇଟର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବରୀ ମାଟିର ପୁଅ କିଶୋର ଦ୍ବିବେଦୀ ବରୀର ସେବା, ସାହିତ୍ୟ, ସଂଗ୍ରାମ ଓ ପର୍ଯ୍ୟଟନ ଇତିହାସ ସହ ରାମପୁର ଉଚ୍ଚ ବିଦ୍ୟାଳୟ ଓ ଛାତ୍ରୀ ଶ୍ରେୟଶ୍ରୀ ଯୋଡି ହୋଇ ଆଉ ଏକ ପରିଚୟ ସୃଷ୍ଟି କଲେ ବୋଲି ସମ୍ବର୍ଦ୍ଧନା କରିବା ଅବସରରେ ବକ୍ତବ୍ୟ ରଖିଥିଲେ | ସେହିପରି ଅନ୍ୟତମ ଅତିଥି ଡଃ ଅରୁନ୍ଧତି ଦେବୀ ଯେଉଁଠି ଶିକ୍ଷା ସହ ସଂସ୍କାର ଯୋଡି ହୁଏ ସେଠି ଛାତ୍ର ଛାତ୍ରୀ ସଂସ୍କୃତି ସମ୍ପନ୍ନ ତଥା ସାମାଜିକତାପୂର୍ଣ୍ଣ ହୋଇଥାନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଶିକ୍ଷାବିତ ରବି ନାରାୟଣ ବେହେରା ଗ୍ରାମାଞ୍ଚଳର ଶିକ୍ଷାଦାନ ପଦ୍ଧତି ଭିତରେ ଶ୍ରେୟଶୀର ସଫଳତା ପଙ୍କରୁ ପଦ୍ମ ଫୁଟିବା ଘଟଣା ଭଳି ସମାନ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା, ପରିଚାଳନା କମିଟି ସଭାପତି ନକୁଳ ଚରଣ ଦାସ, ବରିଷ୍ଠ ନାଗରିକ କୁଶଧ୍ଵଜ ସାମଲ, ପ୍ରାକ୍ତନ ସରପଂଚ କେଦାର ସାମଲ, ଯୁବ ସମାଜସେବୀ ରାଜ କୁମାର ଜେନା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସହଯୋଗୀ ମୁକୁନ୍ଦ ସାମଲ, ଶ୍ରେୟଶ୍ରୀଙ୍କ ବାପା ଷ୍ଟାଲିନ ଜେନା ଓ ଅନ୍ୟମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପରେ ଶ୍ରେୟଶ୍ରୀ ନିଷ୍ଠାର ସହିତ ପାଠ ପଢି ଉଚ୍ଚ ଶିକ୍ଷାରେ କୃତିତ୍ୱ ଅର୍ଜନ କରିବ ବୋଲି ଅତିଥି ମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ।

Leave a Reply

Your email address will not be published. Required fields are marked *