କଟକର ସ୍କୁଲ ଛାତ୍ରୀଙ୍କ ଭିଡିଓ କଲକୁ ରେକର୍ଡିଙ୍ଗ କରି ବ୍ଲାକମେଲ୍ କରି ଗିରଫ ହେଲା ଯୁବକ

କଟକ: ପେସାରେ ସେ ଥିଲା ସୁତା ମିଲର ଜଣେ ଶ୍ରମିକ । କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ଓ ସାମାଜିକ ଗଣମାଧ୍ୟମ ଉପରେ ନିଜର ଅଦ୍ଭୁତ ଦଖଲ ପାଇଁ ସେ ପାଲଟିଥିଲା ସୋସିଆଲ ମିଡ଼ିଆ ସେନସେନ । ଏପରିକି ଇନଷ୍ଟାଗ୍ରାମରେ ତା’ର ଫଲୋଅର୍ସଙ୍କ ସଂଖ୍ୟା ଥିଲା ୫୮,୦୦୦ ହଜାର । ହେଲେ ନିଜର କୁତ୍ସିତ କର୍ମ ଓ ଅପରାଧିକ ମାନସିକତା ପାଇଁ ଏବେ କଟକ କମିଶନରେଟ ପୋଲିସ ଦ୍ବାରା ଗିରଫ ହୋଇ ଏବେ ପାଲଟିଛି ଚୌଦ୍ବାର ଜେଲର ଅନ୍ତେବାସୀ । ୧୫ ବର୍ଷୀୟା ଝିଅଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ସେ ହୋଇଛି ଗିରଫ ।

ଆମେ କହୁଛୁ ବିହାର ମୁଜଫରପୁର ୨୦ ବର୍ଷୀୟା ଯୁବକ ପ୍ରକାଶ କୁମାରଙ୍କ କଥା । ଦଶମ ପାସ କରିଥିବା ଏହି ଯୁବକ ଜଣକ ସୁରତର ଏକ ସୁତା ମିଲରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲା । ଆକର୍ଷଣୀୟ କଣ୍ଟେଣ୍ଟ୍ ବିଶିଷ୍ଟ ଭିଡିଓ ପ୍ରସ୍ତୁତ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଥିଲା ପ୍ରକାଶ ସଉକ । ଏହି ସଉକ ହିଁ ତାକୁ ରାତାରାତି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଷ୍ଟାରରେ ପରିଣତ କରି ଦେଇଥିଲା । ଆକର୍ଷଣୀୟ ଚେହେରା ଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହେବା ପାଇଁ ଆବଶ୍ୟକ ହେଉଥିବା କଣ୍ଟେଣ୍ଟ୍ ବିଶିଷ୍ଟ ଭିଡିଓ ପାଇଁ କେବଳ ଇଷ୍ଟାଗ୍ରାମରେ ତା’ର ଫଲୋଅର୍ସ ସଂଖ୍ୟା ୫୮ ହଜାରକୁ ପାର ମଧ୍ୟ କରିଥିଲା ।

ହେଲେ ଲୋକପ୍ରିୟତାରେ ଅନ୍ଧ ଏହି ଯୁବକ ଜଣକ ଏମିତି କିଛି କାଣ୍ଡ ଭିଆଇଥିଲା ଯେଉଁଥି ପାଇଁ ଗୋଟିଏ ଘଟଣା ପରେ ତା’ର ଷ୍ଟାରଡମ୍ ଗୋଟିଏ ଦିନରେ ନଷ୍ଟ ହୋଇଗଲା । କଟକର ଜଣେ ୧୫ ବର୍ଷୀୟା ହାଇସ୍କୁଲ ଛାତ୍ରୀଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ପ୍ରକାଶ କଟକ ଫେଜ-୨ ପୋଲିସ ଦ୍ବାରା ସେ ଗରିଫ ହୋଇଛି।

ଘଟଣାଟି ଘଟିଥିଲା କିଛି ଏମିତି । କଟକ ସିଡିଏ ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଛାତ୍ରୀ ଜଣକ ନିଜ ସମବୟସ୍କ ଛାତ୍ରୀଙ୍କ ଭଳି ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିଲେ । ଏକ ପ୍ରତିବନ୍ଧିକ ସାମାଜିକ ଗଣମାଧ୍ୟମ ଆପ “ଲାଇକି” ଜରିଆରେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ପ୍ରକାଶ ସହିତ ପରିଚିତ ହୋଇଥିଲେ । ପ୍ରକାଶ ସାମାଜିକ ଗଣମାଧ୍ୟମରେ ଏକ ପ୍ରକାର ସେଲିବ୍ରିଟି ପାଲଟି ଯାଇଥିବାରୁ ଛାତ୍ରୀ ଜଣକ ତାଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରିଥିଲେ ।

“ଲାଇକି”ରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତ୍ବ ପରେ ପରେ ଇନଷ୍ଟାଗ୍ରାମ, ଫେସବୁକ ଓ ହ୍ବାଟ୍ସଆପ ଚାଟିଂ ପର୍ଯ୍ୟନ୍ତ ପହଁଚି ଯାଇଥିଲା । ପ୍ରକାଶ ପେସାରେ ଜଣେ ଶ୍ରମିକ ହୋଇଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମ ସେ ନିଜକୁ ଏକ ପ୍ରତିଷ୍ଠିତ ବ୍ୟବସାୟୀକ ପରିବାର ସଦସ୍ୟ ବୋଲି ମିଛ ପରିଚୟ ଦେଇଥିଲା । ପ୍ରକାଶ ସହିତ କିଛି ଦିନର ବନ୍ଧୁତା ପରେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ତା’ ଉପରେ ବିଶ୍ବାସ କରି ତା ସହିତ ଘଣ୍ଟାଘଣ୍ଟା ଧରି ହ୍ବାଟ୍ସଆପ ଚାଟିଂରେ ମସଗୁଲ ହୋଇ ଯାଇଥିଲେ ।

ଏହାର ସୁଯୋଗ ନେଇ ପ୍ରକାଶ ସମ୍ପୃକ୍ତ ଛାତ୍ରୀଙ୍କ ସହ ହ୍ବାଟ୍ସଆପ ଭିଡ଼ିଓ କଲ୍ ସମୟରେ ତାଙ୍କୁ ଆପତ୍ତିଜନକ ତଥା ଅଶ୍ଳୀଳ ପୋଜ୍ ଦେବାକୁ କହୁଥିଲା । ଛାତ୍ରୀ ଜଣଙ୍କ ପ୍ରକାଶର କଥାରେ ଏପରି ଅନ୍ଧ ହୋଇଯାଇଥିଲେ ସେ ଏସବୁ କରିବାକୁ ପୂର୍ବରୁ ସେ ଥରଟିଏ ପାଇଁ ମଧ୍ୟ ନିଜକୁ ଅଟକାଇ ନଥିଲେ । ସେପଟେ ମନ୍ଦ ଉଦେଶ୍ୟ ରହୁଥିବା ପ୍ରକାଶ ଛାତ୍ରୀ ଜଣଙ୍କର ସେହି ଭିଡ଼ିଓଗୁଡିକୁ ରେକର୍ଡ କରି ନେଉଥିଲା ।

ଏହି ପରି କିଛି ଦିନ ଚାଲିବା ପରେ ପରୀକ୍ଷା ପାଖେଇ ଆସିବାରୁ ଛାତ୍ରୀ ଜଣକ ଦିର୍ଘ ଦିନ ଧରି ସାମାଜିକ ଗଣମାଧ୍ୟମରୁ ନିଜକୁ ଦୁରେଇ ରଖିଥିଲେ । ଏହି ସମୟ ମଧ୍ୟରେ ପ୍ରକାଶ ସମ୍ପୃକ୍ତ ଛାତ୍ରୀଙ୍କୁ ମୋବାଇଲକୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲା । ପ୍ରଥମେ ଛାତ୍ରୀ ଜଣଙ୍କୁ ଭିଡିଓ କଲ୍ ସମୟରେ ସେ ରେକର୍ଡ କରିଥିବା ସେହି ଆପତ୍ତିଜନକ ଭିଡିଓ ଗୁଡ଼ିକୁ ହ୍ବାଟ୍ସଆପ ମାଧ୍ୟମରେ ପଠାଇଥିଲା । ଏହା ପରେ ସେ ତାଙ୍କ ପରିବାର ଲୋକଙ୍କ ସୋସିଆଲ ମିଡ଼ିଆରେ ସେହି ଭିଡିଓକୁ ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲା । ଏହା ପରେ ଅନ୍ୟ ଉପାୟ ନପାଇ ଛାତ୍ରୀଙ୍କ ପରିବାର ଲୋକେ ଏସମ୍ପର୍କରେ ସିଡିଏ ଫେଜ୍-୨ ଥାନାରେ ଅଭିଯୋଗ କରିଥିଲେ ।

“ଗତ ଅଗଷ୍ଟ ମାସ ୨୧ ତାରିଖ ଦିନ ସେହି ଛାତ୍ରୀ ଜଣଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରିବାକୁ ଯାଇ ଆମେ ପୋଲିସର ସାଇବର ଏକ୍ସପର୍ଟଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲୁ । ତଦନ୍ତ ସମୟରେ ଜଣା ପଡ଼ିଲା କି ପ୍ରକାଶ ଗୁଜୁରାଟର ଏକ ସୁତା କଳରେ କାମ କରୁଥିବା ଜଣେ ଶ୍ରମିକ । ଏହା ପରେ ଆମ ଗୁଜୁରାଟ ଯାଇ ଟିମ ସେହି ସୁତା କଳରୁ ପ୍ରକାଶକୁ ଗିରଫ କରିଛି । ପ୍ରକାଶ ଏହି ଜଣେ ଛାତ୍ରୀଙ୍କୁ ବ୍ଲାକମେଲ୍ କରିଛି ନା ଆଉ କେହି ପ୍ରକାଶ ଦ୍ବାରା ବ୍ଲାକମେଲର ଶିକାର ହୋଇଛନ୍ତି ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି,’’ କହିଛନ୍ତି କଟକ ଜୋନ୍ ୩ ଏସିପି ତାପସ ପ୍ରଧାନ ।

Leave a Reply

Your email address will not be published. Required fields are marked *