ସଙ୍ଘ ଶତାବ୍ଦୀ ବର୍ଷ ଉତ୍ସବ ଅବସରରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୌରବମୟ ଶତାବ୍ଦୀ ବର୍ଷ ଉତ୍ସବ ଅବସରରେ ସାରା ଦେଶରେ ଆୟୋଜିତ ହେଉଥିବା ହିନ୍ଦୁ ସମ୍ମିଳନୀ ଶୃଙ୍ଖଳାରେ ଆଜି ଡୁମୁଡୁମା ନଗରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀ ସମଗ୍ର ହିନ୍ଦୁ ସମାଜର ସକ୍ରିୟ ସହଯୋଗ, ସହଭାଗିତା ଓ ଏକାତ୍ମତାରେ ଆୟୋଜିତ ହୋଇଥିଲା। ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଷ୍ଟ୍ରଭକ୍ତ ସଂଗଠନର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେଇ ହିନ୍ଦୁ ସମାଜର ଏକତା, ସନାତନ ସଂସ୍କୃତିର ସୁରକ୍ଷା ଓ ରାଷ୍ଟ୍ରନିର୍ମାଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଭୂମିକା ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ୧୦୮ କୁଣ୍ଡୀୟ ବୈଦିକ ଅଗ୍ନିହୋତ୍ରର ମନ୍ତ୍ର ଉଚ୍ଚାରଣରେ ସାରା ପରିବେଶ ଯଜ୍ଞମୟ ହୋଇଯାଇଥିଲା । ବୈଦିକ ମନ୍ତ୍ରଧ୍ଵନିରେ ବାତାବରଣଟି ଅଭିମନ୍ତ୍ରିତ ହୋଇ ଯାଇଥିଲା । ପତଞ୍ଜଳି ଯୋଗ ସମିତି ଓ ଭୁବନେଶ୍ୱର ଆର୍ଯ୍ୟ ସମାଜର ଏ ଅନନ୍ୟ ପ୍ରୟାସରେ ସାରା ପରିବେଶଟି ମନ୍ତ୍ରମୟ ହୋଇ ଉଠିଥିଲା । ଏହା ପରେ ଗୋଭକ୍ତ ମାନେ ଗୋମାତାଙ୍କ ପୂଜନ କରିଥିଲେ । ଭାରତରେ ଗୋହତ୍ୟା ବନ୍ଦ ହେବା ପାଇଁ ଈଶ୍ୱରଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରିଥିଲେ । ଗୋମାତାଙ୍କୁ ପୂଜା ଅର୍ଚ୍ଚନା ସହ ଖାଦ୍ୟ ପରିବେଷଣ କରିଥିଲେ । ଏହା ପରେ ଭାଗବତ ପାଠ ସହ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । ସାରା ପଡ଼ିଆଟି ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଥିଲା । ଚାଳିଶା ପାଠ ପରେ ଭାରତୀୟ ସେନାବାହିନୀରୁ ସେବାନିବୃତ୍ତ ପୂର୍ବ ସୈନିକମାନଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା । ଭେଟେରାନ୍ ବିଦ୍ୟାଧର ନାୟକ ନିଜର ମତ ରଖି ଆମେ ସମସ୍ତେ ଭିନ୍ନ ଭିନ୍ନ ବୃତ୍ତିରୁ ଆସିଥିଲେ ମଧ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଗୋଟିଏ ଭାରତ ମାତାର ସନ୍ତାନ ବୋଲି ବିଚାର କରିବା ଆବଶ୍ୟକ ବୋଲି କହିଥିଲେ । ଭାରତ ସନାତନ ସଂସ୍କୃତିର ଦେଶ ଓ ହିନ୍ଦୁ ମାନଙ୍କର ଦେଶ ବୋଲି ସେ କହିଥିଲେ । ସାରା ବିଶ୍ବରେ ହିନ୍ଦୁ ଧର୍ମର ଦେଶ କହିଲେ ଭାରତକୁ ବୁଝାଯାଏ କିନ୍ତୁ ଭାରତର ଲୋକଙ୍କୁ ଏକଥା ବୁଝାଇବା ପାଇଁ ବାରମ୍ବାର କହିବାକୁ ହୁଏ କହି ସେ ନିଜର କ୍ଷୋଭ ପ୍ରକଟ କରିଥିଲେ । ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଭାରତ ସ୍ବାଭାବିକ ଭାବରେ ହିନ୍ଦୁ ରାଷ୍ଟ୍ର ହୋଇଥିଲା ବେଳେ ସମ୍ବିଧାନରେ ଏହା ସିକୁଲାର୍ ଦେଶ ବୋଲି ଏକ ବିଚିତ୍ର ଶବ୍ଦ ଯୋଡ଼ି ଭାରତକୁ ଅର୍ନ୍ତରାଷ୍ଟ୍ରୀୟ ମଞ୍ଚରେ ଦୁର୍ବଳ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ହିନ୍ଦୁମାନଙ୍କୁ ଏକ ହୋଇ ଏ ସିକୁଲାର୍ ଶବ୍ଦକୁ ହଟାଇବା ପାଇଁ ସେ ଆହ୍ଵାନ ଦେଇଥିଲେ ।
ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପୁରୀ ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ଜୟକୃଷ୍ଣ ପୃଷ୍ଟି କହିଥିଲେ ଯେ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗତ ଶତବର୍ଷ ଧରି ନିସ୍ବାର୍ଥ ଜନସେବା, ଶିଷ୍ଟାଚାର, ଶୃଙ୍ଖଳା ଓ ଶୁଦ୍ଧ ରାଷ୍ଟ୍ରଭକ୍ତି ମାଧ୍ୟମରେ ହିନ୍ଦୁ ସମାଜକୁ ସଂଗଠିତ କରି ଆସୁଛି। ଏହି ଶତାବ୍ଦୀ ବର୍ଷ ଉତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ହିନ୍ଦୁ ସମାଜର ସ୍ୱାଭିମାନ, ଏକତା ଓ ଭବିଷ୍ୟତ ପାଇଁ ଏକ ନୂଆ ସଙ୍କଳ୍ପ। ସଙ୍ଘ ସମାଜ ପାଇଁ ଶୃଙ୍ଖଳିତ ସ୍ଵୟଂସେବକ ସୃଷ୍ଟି କରିବା ନେଇ ପ୍ରତିବଦ୍ଧ । ସଙ୍ଘ ବିଚାରରେ ସଂସ୍କାରବାନ୍ ସ୍ଵୟଂସେବକ ନିଜ ନିଜର ସାମର୍ଥ୍ୟ ଅନୁରୂପ ସମାଜରେ କାର୍ଯ୍ୟ ଆରମ୍ଭ କରିଥାନ୍ତି ଏବଂ ଭାରତ ମାତାଙ୍କୁ ଶ୍ରେଷ୍ଠ ଗୌରବଶାଳୀ ରାଷ୍ଟ୍ର ରୂପେ ଗଢ଼ି ତୋଳିବାରେ ସହାୟକ ହୋଇଥାନ୍ତି ।
ସମ୍ମିଳନୀରେ ବହୁ ସଂଖ୍ୟାରେ ନାଗରିକ, ଯୁବକ-ଯୁବତୀ, ମହିଳା ଓ ବୃଦ୍ଧମାନେ ଉପସ୍ଥିତ ରହି ହିନ୍ଦୁ ଏକତା ଓ ରାଷ୍ଟ୍ରଭକ୍ତିର ସନ୍ଦେଶକୁ ସୁଦୃଢ଼ କରିଥିଲେ। କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ବିମଳ ପ୍ରସାଦ ବାରିକ୍, ଅବସରପ୍ରାପ୍ତ ମାର୍କୋସ୍ ରବୀନ୍ଦ୍ର କୁମାର ସାହୁ, ରମାକାନ୍ତ ପଣ୍ଡା, ମନୋଜ କୁମାର ସାହୁ, ଦେବାଶିଷ ସାହୁ, ପ୍ରଣବ କୁମାର ପାଣି , ନିରଞ୍ଜନ ସାହୁ, ଶରତ ଚନ୍ଦ୍ର ନାୟକ, ସୁଷମା ପଣ୍ଡା
ପ୍ରମୁଖ ଯୋଗ ଦେଇଥିଲେ ।